ଇସଲାମବାଦ: ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ପକ୍ଷରୁ ମାମଲା ଲଢିବାକୁ ପାକିସ୍ତାନର ସମସ୍ତ ଆଇନଜୀବୀ ମନା କରି ଦେଇଛନ୍ତି । ମାମଲା ଲଢିବାକୁ ଇସଲାମାବାଦ ହାଇକୋର୍ଟ ଦ୍ୱାରା ମନୋନୀତ ହୋଇଥିବା ସମସ୍ତ ଆଇନଜୀବୀ ମନା କରିଦେଇଥିବା ସୂଚନା ମିଳିଛି । ଇସଲାମାବାଦ ହାଇକୋର୍ଟ ପାକିସ୍ତାନର ଦୁଇଜଣ ବୟସ୍କ ଆଇନଜୀବୀ ଆବିଦ୍ ହାସନ ମିଣ୍ଟୋ ଏବଂ ମଖଦୁମ ଅଲ୍ଲୀ ଖାନଙ୍କୁ କୁଳଭୂଷଣଙ୍କ ମାମଲା ଲଢ଼ିବାକୁ ଅନୁରୋଧ କରିଥିଲେ । ମାତ୍ର ସେ ଦୁହେଁ ଦୁଃଖ ପ୍ରକାଶ କରି କୁଲଭୂଷଣ ଯାଦବଙ୍କ ତରଫରୁ ଅଦାଲତରେ ହାଜର ହେବାକୁ ମନା କରି ଦେଇଥିବା ଜାଣିବାକୁ ମିଳିଛି। ସେମାନେ ସେମାନଙ୍କର ନିଷ୍ପତ୍ତି ବିଷୟରେ ହାଇକୋର୍ଟ ରେଜିଷ୍ଟ୍ରାର କାର୍ୟ୍ୟାଳୟକୁ ସୂଚନା ଦେଇଥିଲେ। ଆବିଦ୍ ହାସନ ମିଣ୍ଟୋ ଆଉ ଆଇନ ଅଭ୍ୟାସ କରୁନାହାଁନ୍ତି ବୋଲି କହିଥିବା ବେଳେ ମଖଦୁମ ଅଲ୍ଲୀ ଖାନ ମଧ୍ୟ କୁଲଭୂଷଣ ଯାଦବଙ୍କ ମାମଲା ଲଢ଼ିବାରୁ ନିଜକୁ ନିବୃତ୍ତ କରିଥିବା ଦେଖିବାକୁ ମିଳିଛି।
କୁଳଭୂଷଣ ଯାଦବଙ୍କ ପକ୍ଷରୁ ମାମଲା ଲଢ଼ିବାକୁ ଜଣେ ଭାରତୀୟ ଓକିଲଙ୍କୁ କିମ୍ବା ଇଂଲଣ୍ଡର କୁଇନ୍ସ କାଉନ୍ସେଲ୍କୁ ନିଯୁକ୍ତ ଦେବାକୁ ପୂର୍ବରୁ ଭାରତ ପକ୍ଷରୁ ଦାବି ହୋଇଥିଲା। ନିରପେକ୍ଷ ବିଚାର ପାଇଁ ଜଣେ ଭାରତୀୟ ଓକିଲ କିମ୍ବା କୁଇନ୍ସ କାଉନ୍ସେଲ୍ଙ୍କୁ ନିଯୁକ୍ତି ଦିଆଯାଉ ବୋଲି ଗତ ସପ୍ତାହରେ ଏକ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଥିଲେ। ମାତ୍ର ପାକିସ୍ତାନ ଭାରତ ପକ୍ଷରୁ ହୋଇଥିବା ଏହି ଦାବିକୁ ସ୍ବୀକାର କରିନାହିଁ। ଭାରତୀୟ ଓକିଲଙ୍କୁ ମାମଲା ଲଢ଼ିବାକୁ ପାକିସ୍ତାନ ଅନୁମତି ଦେଉ ନଥିବା ବେଳେ ପାକିସ୍ତାନର କେହି ଓକିଲ ମାମଲା ଲଢ଼ିବାକୁ ରାଜି ନ ହେବା ଏବେ ଚିନ୍ତାର ବିଷୟ ପାଲଟିଛି।



Visitors Today : 2
Total Visitors : 130532
Total Views : 9892079
Visitors Online Now : 0