ନୂଆଦିଲ୍ଲୀ: ୨୦୨୦ ନୋବେଲ୍ ରସାୟନଶାସ୍ତ୍ର ପୁରସ୍କାର ଘୋଷଣା । ଗୁଣସୂତ୍ର ସଂଶୋଧନ ବା ‘ଜେନୋମ୍ ଏଡିଟିଙ୍ଗ୍’ ପଦ୍ଧତିର ବିକାଶ ଲାଗି ଇମ୍ମାନୁଏଲ୍ ସାର୍ପିଣ୍ଟିୟର୍ ଏବଂ ଜେନିଫର୍ ଏ. ଡାଉଡ୍ନାଙ୍କୁ ମିଳିବ ଏହି ପୁରସ୍କାର । ଆଜି ଷ୍ଟକ୍ହୋମ୍ରେ ରୟାଲ୍ ସ୍ବିଡିସ୍ ଏକାଡେମି ଅଫ୍ ସାଇନ୍ସେସ୍ର ମହାସଚିବ ଗୋରାନ୍ ହାନ୍ସନ୍ ଦୁହିଁଙ୍କ ନାମ ଘୋଷଣା କରିଛନ୍ତି। ଜୀବନ ବିଜ୍ଞାନ ଉପରେ ବୈପ୍ଳବାତ୍ମକ ପ୍ରଭାବ ପକାଇଥିବା ଏହି ଜ୍ଞାନକୌଶଳ କର୍କଟ ରୋଗର ନୂତନ ଚିକିତ୍ସା ପ୍ରତି ଅବଦାନ ଦେବା ସହ ଆନୁବଂଶିକ ରୋଗ ଭଲ କରିବା ନିମନ୍ତେ ଥିବା ସ୍ବପ୍ନ ସାକାର କରିବ। ଏହାକୁ ବ୍ୟବହାର କରି ଗବେଷକମାନେ ସଠିକ ଭାବେ ପ୍ରାଣୀ, ଉଦ୍ଭିଦ ଏବଂ ଅଣୁଜୀବମାନଙ୍କର ‘ଡିଏନ୍ଏ’ ପରିବର୍ତ୍ତନ କରିପାରିବେ।
ସ୍ବର୍ଣ୍ଣପଦକ ଏବଂ ୧୦ ନିୟୁତ ସ୍ବିଇଡିସ୍ କ୍ରାଉନ୍ (୧.୧ ନିୟୁତ ଡଲାର୍) ପୁରସ୍କାର ଘୋଷଣା କରି ରୟାଲ୍ ସ୍ବିଡିସ୍ ଏକାଡେମି ଅଫ୍ ସାଇନ୍ସେସ୍ କହିଛି, ଇମ୍ମାନୁଏଲ୍ ସାର୍ପିଣ୍ଟିୟର୍ ଏବଂ ଜେନିଫର୍ ଡାଉଡ୍ନା ଗୁଣସୂତ୍ର ପ୍ରଯୁକ୍ତିବିଦ୍ୟା ବା ଜିନ୍ ଟେକ୍ନୋଲୋଜିର ତୀକ୍ଷ୍ମଣତମ ଉପକରଣ ‘ସିଆର୍ଆଇଏସ୍ପିଆର୍/କ୍ୟାସ୍୯ ଜେନେଟିକ୍ ସିଜର୍ସ’ ଆବିଷ୍କାର କରିଛନ୍ତି।
୨୦୧୧ରେ ସାର୍ପିଣ୍ଟିୟର୍ ତାଙ୍କ ଆବିଷ୍କାର ପ୍ରକାଶ କରିଥିଲେ। ସେହି ବର୍ଷ ହିଁ ସେ ‘ଆର୍ଏନ୍ଏ’ ବିଷୟରେ ବ୍ୟାପକ ଜ୍ଞାନ ଥିବା ଅଭିଜ୍ଞା ବାୟୋକେମିଷ୍ଟ୍ ଜେନିଫର୍ ଏ. ଡାଉନ୍ଡାଙ୍କ ସହ ମିଳିତ ଭାବେ ଗବେଷଣା ଆରମ୍ଭ କରିଥିଲେ। ୨୦୧୨ରେ ଉଭୟ ମିଳିତ ଭାବେ ଏକ ପରୀକ୍ଷା ନଳୀରେ ବ୍ୟାକ୍ଟେରିଆ ଗୁଣସୂତ୍ର କଇଁଚି ବା ‘ବ୍ୟାକ୍ଟେରିଆଜ୍ ରିକ୍ରିଏଟିଙ୍ଗ୍ ଜେନେଟିକ୍ ସିଜର୍ସ’ ପୁନଃନିର୍ମାଣ କରିବା ଓ ସହଜ ବ୍ୟବହାର ନିମନ୍ତେ ଏହାର ମଲିକ୍ୟୁଲାର୍ କମ୍ପୋନେଣ୍ଟ୍ଗୁଡ଼ିକୁ ସରଳ କରିବାରେ ସଫଳ ହୋଇଥିଲେ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0