ନୟାଗଡ଼ : ନୟାଗଡ଼ ଜିଲ୍ଲା ଚାନ୍ଦପୁର ଆଆଇସିଙ୍କ ନାମରେ ବିନା କାରଣରେ ଲୋକଙ୍କୁ ମାଡ଼ ମାରିବା, ଚାନ୍ଦା ମାଗିବା ଭଳି ଅଭିଯୋଗ ଆସିଛି। ଆଇଆଇସି ରଶ୍ମିରଞ୍ଜନ ଦାଶଙ୍କ ଏଭଳି ଦବଙ୍ଗଗିରିର ଶିକାର ହୋଇ ୩ ଜଣ ବ୍ୟକ୍ତି ତାଙ୍କ ନାମରେ କୋର୍ଟରେ ମାମଲା କରିଛନ୍ତି। ୩ଟି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ୩ ଅଭିଯୋଗକାରୀ ହେଲେ, ଫାଷ୍ଟଫୁଡ୍ ଦୋକାନ କରିଥିବା ଚାନ୍ଦପୁରର ସରୋଜ ସେଠୀ, ବେଣ୍ଟର ଚନ୍ଦ୍ରଭାନୁ ପ୍ରଧାନ, ଜିତେନ୍ଦ୍ର ପ୍ରଧାନ। ତେବେ, କୋର୍ଟରେ ମାମଲା ହେବାପରେ ଆଇଆଇସି ଶ୍ରୀ ଦାସ ଏଥିରେ ଉତକ୍ଷିପ୍ତ ହୋଇ ଚନ୍ଦ୍ରଭାନୁ ପ୍ରଧାନଙ୍କ ସ୍ବାମୀ ରଘୁନାଥ ପ୍ରଧାନଙ୍କୁ ଉଠାଇ ନେବା ସହିତ ମାମଲା ପ୍ରତ୍ୟାହାର କରିବାକୁ ଧମକ ଦେଉଥିବା ଅଭିଯୋଗ ଆସିଛି। ଚନ୍ଦ୍ରଭାନୁ ଓ ରଘୁନାଥ ଚାନ୍ଦପୁରରେ ଫାଷ୍ଟଫୁଡ୍ ଦୋକାନ କରିଛନ୍ତି। ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଆଇଆଇସିଙ୍କୁ ମାସିକ ଚାନ୍ଦା ନ ଦେବାରୁ ଗତ ୧୭ ତାରିଖରେ ଘରେ ପଶି ମାଡ଼ ମାରିଥିଲେ। ବେଣ୍ଟର ଜିତେନ୍ଦ୍ର କୁମାର ପ୍ରଧାନ ପୁଲିସ ନିର୍ୟାତନାର ଅଭିଯୋଗ ଆଣି ଜେଏମ୍ଏଫ୍ସି କୋର୍ଟ ରଣପୁରର ଦ୍ବାରସ୍ଥ ହୋଇଛନ୍ତି। ଗତ ୧୭ ତାରିଖରେ ଗାଁ’ ନିକଟରେ ବସିଥିବାବେଳେ ଆଇଆଇସି ସାଦା ପୋଷାକରେ ଆସି ପହଞ୍ଚିଥିଲେ। ଜିତେନ୍ଦ୍ର ଓ ତାଙ୍କ ସାଙ୍ଗସାଥୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ମଦ ବିକ୍ରି କରୁଛ ବୋଲି ଧମକାଇଥିଲେ ଓ ମାଡ଼ ମାରିଥିଲେ। ମାସିକ ଚାନ୍ଦା ଦେବାକୁ ଦାବି କରି ଆଇଆଇସି ଏଭଳି କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ସେହିଭଳି ଫାଷ୍ଟଫୁଡ୍ ଦୋକାନୀ ସରୋଜ କୁମାର ସେଠୀ ଗତ ୨୦ ତାରିଖ ରାତି ୧୦ଟା ୩୦ରେ ଦୋକାନ ନିକଟରେ ବସିଥିବାବେଳେ ଆଇଆଇସି ସାଦା ପୋଷାକରେ ଆସି ଧମକାଇ ଥିଲେ। ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିଥିଲେ ଏବଂ ଥାନାକୁ ଉଠାଇ ଆଣି ମାଡ଼ ମାରିଥିବା ଅଭିଯୋଗ ଆସିଛି। ଏ ବାବଦରେ ଆଇଆଇସି ଶ୍ରୀ ଦାଶଙ୍କ ପ୍ରତିକ୍ରିୟା ଜାଣିବା ଲାଗି ତାଙ୍କୁ ଫୋନ୍ କରାଯାଇଥିବାବେଳେ ସେ ଫୋନ୍ ଉଠାଇନଥିଲେ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0