କଟକ : ଘରୋଇ ହିଂସା ଅଭିଯୋଗ ନେଇ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କଟକ ସଦର ଏସଡିଜେଏମ ଅଦାଲତରେ ଦାୟର କରିଥିବା ମାମଲାରେ ଆଜି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ନୋଟିସ ହୋଇଛି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୨କୁ ଧାର୍ଯ୍ୟ କରାଯାଇଥିବାବେଳେ ଜବାବ ରଖିବାକୁ ଅନୁଭବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଘରୋଇ ହିଂସା ଅଭିଯୋଗ ଆଣି ବର୍ଷା ଅଗଷ୍ଟ ୭ରେ ଏହି ମାମଲା ରୁଜୁ କରିଥିଲେ। କେବେଠାରୁ ଏଭଳି ନିର୍ଯାତନାର ଶିକାର ହେଉଛନ୍ତି ଏବଂ କାହା ବିରୋଧରେ ନିର୍ଦ୍ଦିଷ୍ଟ ଭାବେ ତାଙ୍କ ଅଭିଯୋଗ ରହିଛି, ସେ ନେଇ ବର୍ଷାଙ୍କୁ ସୁରକ୍ଷା ଅଧିକାରୀ ପଚାରିଥିଲେ। ଏଥିସହିତ, ଯୌତୁକ ଦାବି ଓ ଅନ୍ୟ ଘରୋଇ ବିବାଦ ପ୍ରସଂଗରେ ବର୍ଷାଙ୍କର କ’ଣ ଅଭିଯୋଗ ରହିଛି, ସେ ନେଇ ମଧ୍ୟ ସୁରକ୍ଷା ଅଧିକାରୀ ପଚାରି ବୁଝିବା ସହିତ ନିର୍ଦ୍ଦିଷ୍ଟ ଫର୍ମରେ ଲେଖିଥିଲେ। ଫର୍ମର ଥିବା ୭ଟି ନିର୍ଦ୍ଦିଷ୍ଟ ପ୍ରଶ୍ନ ଓ ଅନ୍ୟ ତଥ୍ୟ ପୂରଣ କରାଯିବା ପରେ ବର୍ଷା ସେଥିରେ ସ୍ବାକ୍ଷର କରିଥିଲେ। ଏହାପରେ ସୁରକ୍ଷା ଅଧିକାରୀ ଏ ସଂପର୍କିତ ରିପୋର୍ଟ ଅଦାଲତରେ ଦାଖଲ କରିଥିଲେ।ଏହି ମାମଲାରେ ବର୍ଷାଙ୍କ ଅଭିଯୋଗ ସହିତ ଭରଣପୋଷଣ ଓ ଅନ୍ୟାନ୍ୟ ପ୍ରସଂଗରେ ଅନୁଭବ ଅଦାଲତରେ ପକ୍ଷ ରଖିବେ। ଅନ୍ୟପଟେ ବର୍ଷାଙ୍କ ପକ୍ଷରୁ କଟକ ପରିବାର ଅଦାଲତରେ ତାଙ୍କ ଦାମ୍ପତ୍ୟ ସଂପର୍କର ସୁରକ୍ଷା ଅନୁରୋଧ କରି ଦାୟର ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୪ ତାରିଖରେ ହେବ।



Visitors Today : 1
Total Visitors : 130211
Total Views : 9891679
Visitors Online Now : 0