ଯାଜପୁର: ଆଜି ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ବିଜୟା ରଥଯାତ୍ରା । ଏନେଇ ଚଳଚଞ୍ଚଳ ଯାଜପୁର ବିରଜା କ୍ଷେତ୍ର । ରଥଯାତ୍ରା ପାଇଁ ସେବାୟତଙ୍କ ସଂଖ୍ୟା ୬୦ ରେ ସୀମିତ ରଖିବା ସହ ରଥ ଚାଳନା ପାଇଁ ୧୮, ରଥ ଟାଣିବା ପାଇଁ ୬୦, ଲାଖବିନ୍ଧା କାର୍ଯ୍ୟ ସମ୍ପନ୍ନ ପାଇଁ ୯୯ ଜଣଙ୍କୁ ସ୍ୱୀକୃତି ପ୍ରଦାନ କରାଯାଇଛି । ଏଥିସହ ମା’ଙ୍କ ମହାସ୍ନାନ ପାଇଁ ୨୦ ଜଣ ବୈତରଣୀ ବ୍ରାହ୍ମଣଙ୍କୁ ନିୟୋଜିତ କରାଯାଇଛି । ମନ୍ଦିର ଚତୃପାର୍ଶ୍ୱରେ ଏହି ୯ ଦିନ ରଥଯାତ୍ରା ମଧ୍ୟରେ ୧୪୪ ଧାରା ବଳବତ୍ତର ରହିବ ।
ଏପଟେ ରଥଯାତ୍ରା ପୂର୍ବରୁ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯାଇଛି । ରଥଯାତ୍ରାରେ ସାମିଲ ହେବାକୁ ଥିବା ସବୁ ସେବାୟତ ଓ ପୋଲିସଙ୍କ ୩ଟି ପର୍ଯ୍ୟାୟରେ କୋଭିଡ୍ ଟେଷ୍ଟ ହେବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ସେବାୟତ ମାନଙ୍କ କୋଭିଡ୍ ଟେଷ୍ଟ ହୋଇଛି । ବିରଜା କଲ୍ୟାଣ ମଣ୍ଡପ ଠାରେ ପାଖାପାଖି ୨୫୦ ସେବାୟତଙ୍କ ଟେଷ୍ଟ ହୋଇଛି । ସାମାଜିକ ଦୂରତା ରକ୍ଷା କରି ଏହି ଟେଷ୍ଟ କରାଯାଇଛି । ମା’ ବିରଜାଙ୍କ ମନ୍ଦିରରେ ଚଳିତ ବର୍ଷ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ପ୍ରସଂଗ ନେଇ ହାଇକୋର୍ଟରେ ପିଟିସନ ଫାଇଲ୍ ହୋଇଥିଲା । ଏସମ୍ପର୍ତିକ ମାମଲାର ଶୁଣାଣି କରି ଯାଜପୁର ଜିଲ୍ଲାପାଳ ଓ ଏସପିଙ୍କ ନିକଟରୁ ରିପୋର୍ଟ ତଲବ କରିଥିଲେ ହାଇକୋର୍ଟ ।
ଶାରଦୀୟ ଦୁର୍ଗା ପୂଜା ଅବସରରେ ମା’ ବିରଜାଙ୍କ ମନ୍ଦିରରେ ନବ ଦିନାତ୍ମକ ରଥଯାତ୍ରା କେଉଁ କାଳରୁ ଅନୁଷ୍ଠିତ ହୋଇଆସୁଛି । ୯ ଦିନ ବ୍ୟାପୀ ମାଆ ବିରଜାଙ୍କ ଚଳନ୍ତି ପ୍ରତିମା ବିଜୟା ରଥରେ ମନ୍ଦିର ପରିକ୍ରମା କରନ୍ତି । ଚଳିତ ବର୍ଷ କରୋନା କଟକଣା ଭିତରେ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ ।



Visitors Today : 0
Total Visitors : 130181
Total Views : 9891632
Visitors Online Now : 0