ନୂଆଦିଲ୍ଲୀ: ପୂର୍ବ ଲଦାଖ୍ରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ଅଂଚଳରେ ଚୀନ୍ ସେନାର ଅତିକ୍ରମଣ ଏବଂ ବିପୁଳ ସୈନ୍ୟ ମୁତୟନକୁ ନେଇ ଭାରତ-ଚୀନ୍ ମଧ୍ୟରେ ଉତ୍ତେଜନା ବଳବତ୍ତର ରହିଛି। ଚୀନ ସେନାର ଯେ କୌଣସି ଚାଲ କୁ ପଣ୍ଡ କରିବା ପାଇଁ ଭାରତୀୟ ସେନା ତୟାର ରହିଛି। ପ୍ରଥମେ ଭାରତୀୟ ସେନା ନିଜ ଦଖଲରେ ରଖିଥିବା ପର୍ବତ ଶିଖର ଖାଲି କରିବା ଏବଂ ସେନା ପ୍ରତ୍ୟାହାର ପାଇଁ ଚୀନ୍ର ଦାବିକୁ ଭାରତ ସଂପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଦେଇଛି। ଏହା ସହିତ ସୀମାରେ ସୁରକ୍ଷା ସୁଦୃଢ଼ କରିବାକୁ ଆଇଟିବିପିର ୪୭ ନୂଆ ଆଉଟପୋଷ୍ଟ ସ୍ଥାପନ ପାଇଁ ସରକାର ମଞ୍ଜୁରି ଦେଇଛନ୍ତି। ଗତ ଏପ୍ରିଲରେ ଏଲଏସିରେ ଯେଭଳି ସ୍ଥିତି ଥିଲା ଚୀନ ପ୍ରଥମେ ସେହି ସ୍ଥିତିକୁ ଫେରିବା ସହ ଅକସାଇ ଚୀନ ଏବଂ ଡୋଗ୍ରା ଅଂଚଳରେ ସମସ୍ତ ନିର୍ମାଣ ବନ୍ଦ କରିବାକୁ ଭାରତ ଚେତାଇ ଦେଇଛି। ଚୀନ ଏଲଏସିରେ ଅତିକ୍ରମଣ ଉଦ୍ଦେଶ୍ୟରେ ମୁତୟନ କରିଥିବା ସମସ୍ତ ଯୁଦ୍ଧାସ୍ତ୍ର ହଟାଇବା ସହ ସେନା ପ୍ରତ୍ୟାହାର ଆରମ୍ଭ କଲେ ହିଁ ଭାରତ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ନିଷ୍ପତ୍ତି ନେବ ବୋଲି ଚୀନକୁ ସ୍ପଷ୍ଟ କରିଦିଆଯାଇଛି। ଅନ୍ୟପକ୍ଷରେ ସୀମା ବିବାଦର ସମାଧାନ ଏବଂ ଏଲଏସିରେ ଉତ୍ତେଜନା ହ୍ରାସ ପାଇଁ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ଜାରି ରହିବ ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷର କୁହାଯାଇଛି। ଚୀନ ଏବେ କେବଳ ଭାରତ ଉପରେ ଚାପ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରାୟ ୬୦ ହଜାର ସୈନ୍ୟ ମୁତୟନ କରିବା ସହ ପାକିସ୍ତାନକୁ ମଧ୍ୟ ଉସୁକାଇ ଏଲଓସିରେ ଉତ୍ତେଜନା ବଢ଼ାଇବାକୁ ଷଡ଼ଯନ୍ତ୍ର କରିଛି। ତେଣୁ ଚୀନକୁ ହିଁ ଏ ବାବଦରେ ନିଜ ନୀତିର ସମୀକ୍ଷା କରିବାକୁ ହେବ ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଭାରତର ସୁଦୃଢ଼ କୂଟନୈତିକ ସଂପର୍କ ଏବଂ ଏଲ୍ଏସିରେ ସଫଳ ରଣନୀତି ଯୋଗୁଁ ଚୀନର ସବୁ ଷଡ଼ଯନ୍ତ୍ର ଭଣ୍ଡୁର ହୋଇଯାଇଛି।



Visitors Today : 1
Total Visitors : 130427
Total Views : 9891958
Visitors Online Now : 0