ସମ୍ବଲପୁର: ବୁର୍ଲା ବଡ଼ ଡାକ୍ତରଖାନା(ଭିମ୍ସାର)କୁ ଗ୍ରାସିଗଲାଣି କରୋନା। ଗତକାଲି ସେଣ୍ଟ୍ରାଲ ଆଇସିୟୁର ଜଣେ ଡାକ୍ତର ଓ ଜଣେ ନର୍ସ ଆକ୍ରାନ୍ତ ବୋଲି ଜଣାପଡ଼ିଥିଲେ। ଆଜି ମେଡିସିନ୍ ବିଭାଗର ଜଣେ ଡାକ୍ତର, କର୍କଟ ବିଭାଗର ଜଣେ ଡାକ୍ତର ଓ ୨ ଜଣ ନର୍ସ ଓ ଜଣେ ଆଟେଣ୍ଟାଣ୍ଟଙ୍କ ସମେତ ୫ ଜଣ ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଛି। ସରକାରୀ ଭାବେ ଘୋଷଣା କରାଯାଇନଥିଲେ ମଧ୍ୟ ଏହି ଆକ୍ରାନ୍ତମାନଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହାପରେ ସେଠାରେ ବ୍ୟାପକ କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ସଂକ୍ରମଣ ଯେମିତି ଅଧିକ ନ ବ୍ୟାପିବ ସେଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ ମେଡିକାଲର ସମସ୍ତ ଆଉଟ୍ଡୋର୍କୁ ବନ୍ଦ କରି ଦିଆଯାଇଛି। ନିୟମିତ ଅସ୍ତ୍ରୋପଚାରକୁ ବନ୍ଦ ରଖାଯାଇଛି। କେବଳ କାଜୁଆଲିଟି ଓ ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା ଖୋଲା ରହିଛି। ସର୍ବସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଜିଲ୍ଲା ପ୍ରଶାସନ ଓ ଭିମ୍ସାର କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି। ତେବେ ପଶ୍ଚିମ ଓଡ଼ିଶାରେ ଚିକିତ୍ସା ସେବାର ପ୍ରାଣକେନ୍ଦ୍ର କୁହାଯାଉଥିବା ବୁର୍ଲା ମେଡିକାଲରେ ଚିକିତ୍ସା ସେବା ଏଭଳି ଅଚଳ ହେବା ନେଇ ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି।
ମିଳିଥିବା ସୂଚନା ଅନୁସାରେ ଗତ ଦୁଇ ଦିନ ମଧ୍ୟରେ ଭିମ୍ସାର୍ର ୩ ଜଣ ଡାକ୍ତର, ୩ ଜଣ ନର୍ସ ଓ ଜଣେ ଆଟେଣ୍ଡାଣ୍ଟ ଆକ୍ରାନ୍ତ ବୋଲି ଜଣାପଡ଼ିଛି। ଏଥିସହ ଜଣେ ରୋଗୀ ଓ ତାଙ୍କ ପୁଅ ମଧ୍ୟ ଆକ୍ରାନ୍ତ ବୋଲି ଜଣା ପଡ଼ିଛନ୍ତି। ଡାକ୍ତରଖାନାର ବହୁ କର୍ମଚାରୀ, ରୋଗୀ ଓ ପରିଜନ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଜଣା ପଡ଼ିବା ପରେ ଜିଲ୍ଲା ପ୍ରଶାସନ ଓ ଭିମସାର୍ କର୍ତ୍ତୃପକ୍ଷଙ୍କ ଏକ ଜରୁରୀ ବୈଠକ ମଙ୍ଗଳବାର ସଂଧ୍ୟାରେ ବସିଥିଲା। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୧୯ ତାରିଖ ପର୍ୟ୍ୟନ୍ତ ଭିମସାର୍ର ସମସ୍ତ ଓପିଡିକୁ ବନ୍ଦ କରିଦିଆଯାଇଛି। ଏହି ସମୟରେ ସମସ୍ତ ଅଣଜରୁରୀ ଅସ୍ତ୍ରୋପଚାର ମଧ୍ୟ ବନ୍ଦ ରହିବ। ଜରୁରୀ ନଥିଲେ କୌଣସି ରୋଗୀଙ୍କୁ ଆଡ୍ମିଟ୍ କରାଯିବ ନାହିଁ। କେବଳ ଗୁରୁତର ରୋଗୀ, ରେଫରାଲ୍ ରୋଗୀଙ୍କୁ ଅନ୍ତର୍ବିଭାଗରେ ଭର୍ତ୍ତି କରାଯିବ। କାଜୁଆଲ୍ଟି ଖୋଲା ରହିବ, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଓ ରୋଗୀଙ୍କର କୌଣସି ସମସ୍ୟା ହେବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0