ମୁମ୍ବାଇ: କଲର୍ସ ଚ୍ୟାନେଲ୍ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ସୋ’ ‘ବିଗ୍ବସ୍’ ଏବେ ବିବାଦ ଘେରରେ। ମରାଠୀ ଭାଷାକୁ ଅପମାନ କରିବା ଅଭିଯୋଗରେ ଜୋରଦାର ବିରୋଧର ଶିକାର ହୋଇଛି ଉଭୟ ସୋ ଓ ଚ୍ୟାନେଲ୍। ଶିବସେନା ଓ ମହାରାଷ୍ଟ୍ର ନବନିର୍ମାଣ ସେନାର ଧମକ ପରେ ଚ୍ୟାନେଲ୍ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଥିବା ଜଣାପଡ଼ିଛି । କ୍ଷମା ନମାଗିଲେ ବିଗ୍ବସ୍ ପ୍ରସାରଣ ବନ୍ଦ କରିଦିଆଯିବ ବୋଲି ଶିବସେନା ଓ ମହାରାଷ୍ଟ୍ର ନବନିର୍ମାଣ ସେନା ଧମକ ଦେଇଥିଲେ।

ବିଗ୍ବସ୍ର ପ୍ରତିଯୋଗୀ ତଥା ସିଙ୍ଗର କୁମାର ସାନୁଙ୍କ ପୁଅ ଜାନ କୁମାର ସାନୁ ସୋ’ରେ ‘ମରାଠୀ ବିରୋଧୀ’ ଭାଷା ପ୍ରୟୋଗ କରିଥିଲେ। ଯାହାକୁ ଚ୍ୟାନେଲ୍ ପକ୍ଷରୁ ଅକ୍ଟୋବର ୨୭ରେ ପ୍ରସାରିତ ମଧ୍ୟ କରାଯାଇଥିଲା। ତେବେ ଏହା ଉପରେ ବିଚାର କରି ଏହି ପ୍ରସାରଣକୁ ଭବିଷ୍ୟତରେ ନକରିବା ପାଇଁ ସବୁ ପ୍ରକାର ପ୍ରୟାସ କରିବୁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଜାନ କୁମାର ସାନୁ ଅନ୍ୟ ଜଣେ ପ୍ରତିଯୋଗୀଙ୍କୁ ମରାଠୀ ଭାଷା ନକହିବାକୁ କହୁଥିବା ଦେଖିବାକୁ ମିଳିଥିଲା। ମରାଠୀ ଶୁଣିଲେ ବିରକ୍ତି ଲାଗୁଛି। ଯଦି ଚାହୁଁଛ ତେବେ ହିନ୍ଦୀରେ କୁହ ବୋଲି ଜାନ କୁମାର ସାନୁ କହୁଥିବା ଏପିସୋଡ୍ରେ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ମହାରାଷ୍ଟ୍ର ସରକାରଙ୍କ ସମେତ ସାଧରଣ ଜନତା ଏହାର ଘୋର ବିରୋଧ କରିଥିଲେ। ଏହାସହ ଚ୍ୟାନେଲ୍ କ୍ଷମା ମାଗୁ ବୋଲି ମଧ୍ୟ ଦାବି କରିଥିଲେ।

ଏଭଳି ଭାଷା ପ୍ରୟୋଗ ହୋଇଥିବା ହେତୁ ଦୁଃଖିତ। ଦେଶର ପ୍ରତ୍ୟେକ ଭାଷାକୁ ସମ୍ମାନ କରୁ। ଅଜାଣତରେ ମହାରାଷ୍ଟ୍ରବାସୀଙ୍କ ଭାବନାକୁ ଆଘାତ ଦେଇଥିବାରୁ ଦୁଃଖିତ ବୋଲି ଚ୍ୟାନେଲ୍ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ଚ୍ୟାନେଲ ଓ ଜାନଙ୍କ ପକ୍ଷରୁ ୨୪ ଘଣ୍ଟା ମଧ୍ୟରେ କ୍ଷମା ନମାଗିଲେ ‘ବିଗ୍ବସ୍’ ପ୍ରସାରଣ ବନ୍ଦ କରିଦେବୁ ବୋଲି ମହାରାଷ୍ଟ୍ର ନବନିର୍ମାଣ ସେନାର ମୁଖ୍ୟ ଅମୀୟ କୁପକାର କହିଥିଲେ।



Visitors Today : 0
Total Visitors : 130423
Total Views : 9891953
Visitors Online Now : 0