ଭୁବନେଶ୍ୱର : ଆଜକୁ ଠିକ୍ ୨୧ ବର୍ଷ ତଳେ ତାଣ୍ଡବ ରଚିଥିଲା ମହାବାତ୍ୟା। ୧୯୯୯ ମସିହା ଆଜିର ଦିନରେ ହିଁ ରାଜ୍ୟ ପାଇଁ ଆସିଥିଲା ମହା ବିପତ୍ତି। ଉଜାଡ଼ି ଦେଇଥିଲା ଶହ ଶହ ଲୋକଙ୍କ ଜୀବନ ଓ ସୁନାର ସଂସାର। ସେହି ମହାବାତ୍ୟାକୁ ଯିଏ ଆଖିରେ ଦେଖିଛି, ଏବେ ସେ କଥା ମନେ ପଡ଼ିଲେ ଶିହରି ଉଠୁଛି ଦେହ, ଡରିଯାଉଛି ମନ। କ୍ୟାଲେଣ୍ଡରରେ ପୃଷ୍ଠା ଲେଉଟିଲା ଭଳି ୯୯ ମସିହାରେ ମହାକାଳରୂପୀ ମହାବାତ୍ୟାକୁ ୟା ଭିତରେ ବିତି ଗଲାଣି ୨୧ ବର୍ଷ। ହେଲେ ଏବେ ବି ଅନୁଭବିଙ୍କ ସ୍ମୃତିରେ ଅପାଶୋରା ପ୍ରକୃତିର ସେହି ଭୟଙ୍କର ରୂପ।
ମହାବାତ୍ୟାର ମହା ଆଁରେ ସେତେବେଳେ ଚିହ୍ନବର୍ଣ୍ଣ ଶୂନ୍ୟ ହୋଇଥିଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, କଟକ, ବାଲେଶ୍ୱର, ଯାଜପୁର ଭଳି ଏକାଧିକ ଜିଲ୍ଲା। ଉପକୂଳବର୍ତ୍ତି ଜିଲ୍ଲାର ଗାଁ ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ଜଗତସିଂହପୁରର ଏରସମା ଓ କୁଜଙ୍ଗ। ୯ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଲୋକ ନିଖୋଜ ହୋଇଥିଲେ। ମଣିଷ, ପଶୁଙ୍କ ମୃତଦେହ ଏଣେ ତେଣେ ବିକ୍ଷୀପ୍ତ ହୋଇପଡ଼ି ରହିଥିଲା। ଯାହା ସୃଷ୍ଟି କରିଥିଲା ଏକ ଭୟଙ୍କର ପରିସ୍ଥିତି।
ଜଗତସିଂହପୁରରେ ଦେଖିବାକୁ ମିଳିଥିଲା ପ୍ରକୃତିର ତାଣ୍ଡବଲୀଳା। ଏରସମା, କୁଜଙ୍ଗ ସମେତ ପାରାଦୀପ ଏବଂ ଜିଲ୍ଲାର ହଜାର ହଜାର ଗାଁକୁ ଦାଉ ସାଧିଥିଲା ମହାବାତ୍ୟା। ପାରାଦୀପ ଷଣ୍ଢକୁଦ ବସ୍ତି ବି ବିଶେଷ ଭାବରେ ପ୍ରଭାବିତ ହୋଇଥିଲା। ସମୁଦ୍ର କୂଳରେ ଜୀବନ ଯାପନ କରୁଥିବା ଲୋକେ ସେ ଦିନ ଦେଖିଥିଲେ ସେହି ପ୍ରକୃତିର କରାଳ ରୂପ। ହେଲେ ୨୧ ବର୍ଷ ପରେ ବି ଅଞ୍ଚଳରେ ବାତ୍ୟାକୁ ମୁକାବିଲା କରିବା ଭଳି ବ୍ୟବସ୍ଥା ନାହିଁ। ନା ଅଛି ଆଶ୍ରୟସ୍ଥଳୀ ନା ରହିଛି କୌଣସି ଅନୁସଙ୍ଗିକ ସୁବିଧା। ୨୦୦୮ରୁ ବାତ୍ୟା ଆଶ୍ରୟସ୍ଥଳୀ ନେଇ ଫଳକ ଲାଗିଛି, ହେଲେ ତାହା ଏବେ ଯାଏ ସମ୍ପୂର୍ଣ୍ଣ ହୋଇପାରିଲାନି। ଏବେ ବି ଲୋକଙ୍କ ପାଖରେ ପକ୍କା ଘର ବି ନାହିଁ। ବାତ୍ୟା କିମ୍ବା ବନ୍ୟା ଆସିଲେ ୨ କିଲୋମିଟର୍ ଦୂରରେ ଥିବା ଆଶ୍ରୟସ୍ଥଳୀକୁ ଯାଆନ୍ତି।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0