ମୁଙ୍ଗେର: ଦୁର୍ଗା ପୂଜା ଭସାଣି ଶୋଭାଯାତ୍ରା କାଳରେ ପୁଲିସ ଗୁଳିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ପରେ ମୁଙ୍ଗେର ପୁଲିସ ଅଧୀକ୍ଷକ (ଏସପି) ଏବଂ ଜିଲ୍ଲା ମାଜିଷ୍ଟ୍ରେଟ (ଡିଏମ)ଙ୍କୁ ତୁରନ୍ତ ବଦଳି କରିବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏହି ଘଟଣାକୁ କେନ୍ଦ୍ରକରି ଘଟିଥିବା ହିଂସା ଘଟଣାର ପ୍ରଶାସନିକ ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ। ତଦନ୍ତର ରିପୋର୍ଟ ୭ ଦିନ ମଧ୍ୟରେ ଦାଖଲ କରିବାକୁ କୁହାଯାଇଛି। ବଦଳି କରାଯାଇଥିବା ଅଧିକାରୀମାନେ ହେଲେ ମୁଙ୍ଗେର ଡିଏମ ରାଜେଶ ମୀନା ଏବଂ ଏସପି ଲିପି ସିଂ। ବିହାରର ମୁଙ୍ଗେରରେ ଗତ ସୋମବାର ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ସୃଷ୍ଟି ହୋଇଥିଲା ହିଂସାକାଣ୍ଡ। ହିଂସାକାଣ୍ଡକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ସଂଘଷକୁ ନିୟନ୍ତ୍ରଣ କରିବାକୁ ପୁଲିସକୁ ଗୁଳିଚାଳନା କରିବାକୁ ପଡ଼ିଥିଲା। ପୁଲିସ ଗୁଳିମାଡ଼ର ଶିକାର ହୋଇ ଅନୁରାଗ ପୋଦ୍ଦାର ନାମକ ଜଣେ ୧୮ ବର୍ଷ ବୟସ୍କ ଯୁବକ ପ୍ରାଣ ହରାଇଥିଲେ। ରାଜ୍ୟରେ ପ୍ରଥମ ପର୍ୟ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଏହି ହିଂସାକାଣ୍ଡ ରାଜ୍ୟ ଆଇନଶୃଙ୍ଖଳା ସ୍ଥିତିକୁ ବିଗିଡାଇ ଦେଇଥିଲା। କିଛି ସମାଜ ବିରୋଧୀ ତତ୍ତ୍ୱ ପୁଲିସକୁ ଟାର୍ଗେଟ କରି ସେମାନଙ୍କ ଉପରକୁ ପଥର ଫିଙ୍ଗିଥିଲେ। ଏହାକୁ ନିୟନ୍ତ୍ରଣ କରିବାକୁ ଗଲାବେଳେ ଅସାମାଜିକ ତତ୍ୱମାନଙ୍କ ସହ ପୁଲିସର ସଂଘର୍ଷ ହୋଇଥିଲା। ଏପରିକି ପୁଲିସ ଉପରକୁ ଗୁଳି ଚଳାଇବାକୁ ସୁଦ୍ଧା ସେମାନେ ପଛଘୁଞ୍ଚା ଦେଇ ନଥିଲେ। ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ ଏହି ଘଟଣାର ନିନ୍ଦା କରି ଦୁର୍ଭାଗ୍ୟଜନକ ବୋଲି କହିବା ସହ ନିର୍ବାଚନ ଆୟୋଗ ଏହାର ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0