ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବଢୁଥିବା ବାୟୁ ପ୍ରଦୂଷଣଙ୍କୁ ନେଇ ଜାତୀୟ ଗ୍ରୀନ ଟ୍ରିବୁ୍ୟନାଲ ବଡ ନିଷ୍ପତ୍ତି ଶୁଣାଇଛନ୍ତି । ଆସନ୍ତା ୩୦ ତାରିଖ ଯାଏଁ ଦିଲ୍ଲୀରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଟ୍ରିବୁ୍ୟନାଲ । ଆଜି ଠାରୁ ନଭେମ୍ବର ୩୦ ମଧ୍ୟରାତୀ୍ର ପର୍ଯ୍ୟନ୍ତ ସମସ୍ତ ପ୍ରକାର ବାଣ ଫୁଟାଇବା ଉପରେ କଟକଣା ଲାଗୁ କରିଛନ୍ତି ଏନଜିଟି । ଏନଜିଟିଙ୍କ ନିର୍ଦ୍ଦେଶ ଅନୁସାରେ ଗତ ନଭେମ୍ବର ମାସରେ ଦିଲ୍ଲୀର ଯେଉଁସବୁ ସ୍ଥାନର ବାୟୁର ପ୍ରଦୂଷଣ ହାର ଅତ୍ୟଧିକ ଥିଲା ସେଠାରେ ଏହି ନିୟମ ଲାଗୁ କରାଯିବ । ଅନ୍ୟ ଯେଉଁ ସ୍ଥାନଗୁଡିକରେ ବାୟୁର ଗୁଣବତା ସାମାନ୍ୟ ଭଲଥିଲା ସେଠାରେ କେବଳ ସବୁଜ ବାଣ ବିକ୍ରିକୁ ଅନୁମତି ଦିଆଯିବ । ଏହିସବୁ ସ୍ଥାନରେ କେବଳ ଦୁଇ ଘଣ୍ଟା ପାଇଁ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି । ଦିଲ୍ଲୀରେ କ୍ରମାଗତ ଭାବେ ପ୍ରଦୂଷଣ ହାର ବଢୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛି ଏନଜିଟି । ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ସମସ୍ୟାକୁ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଅଧ୍ୟାଦେଶ ମାଧ୍ୟମରେ ଏକ ନୂଆ ଆଇନ ଆଣିଥିଲେ। ନୂଆ ଆଇନ ଅଧୀନରେ ପ୍ରଦୂଷଣକାରୀଙ୍କୁ ୫ ବର୍ଷ ଜେଲଦଣ୍ଡ ଏବଂ ୧ କୋଟି ଟଙ୍କା ଜରିମାନା କରାଯିବ। ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ଏହାର ନିକଟସ୍ଥ ଅଞ୍ଚଳରେ ବାୟୁର ମାନ ତଦାରଖ ପାଇଁ ଏକ କମିଟି ଗଠନ ନିମନ୍ତେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତକାଲି ଏକ ନିର୍ଦ୍ଦେଶନାମାରେ ସ୍ବାକ୍ଷର କରିଥିଲେ। ୨୦ରୁ ଅଧିକ ସଦସ୍ୟ ବିଶିଷ୍ଟ ଏକ ଶକ୍ତିଶାଳୀ ସ୍ଥାୟୀ କମିସନ୍ ପ୍ରଦୂଷଣ ରୋକିବା ଦିଗରେ କଡ଼ା ପଦକ୍ଷେପ ନେବା ସହ ଉତ୍ତମ ସହଯୋଗ, ଗବେଷଣା ଦ୍ବାରା କିଭଳି ବାୟୁର ମାନ ପରିଚାଳନା କରିହେବ ସେଥିପ୍ରତି ଗୁରୁତ୍ବ ଦେବ।



Visitors Today : 0
Total Visitors : 130516
Total Views : 9892060
Visitors Online Now : 0