ଭୁବନେଶ୍ୱର : ଆଗଧାଡ଼ିର କରୋନା ଯୋଦ୍ଧା ସାଜିଥିବା ପୋଲିସ କର୍ମଚାରୀଙ୍କୁ ଫିଟନେସ୍ ଟାର୍ଗେଟ ଦେଲେ କମିଶନର ସୁଧାଂଶୁ ଷଡଙ୍ଗୀ । ମାସକ ମଧ୍ୟରେ କମିଶନରେଟ୍ ପୋଲିସର ସମସ୍ତ କର୍ମକର୍ତ୍ତାଙ୍କୁ ପେଟ କମାଇବାକୁ କହିଛନ୍ତି ପୋଲିସ କମିଶନର । କରୋନା କଟକଣା ସମୟରେ ପୋଲିସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ତେଣୁ କରୋନା ସମୟରେ ସମସ୍ତଙ୍କ ସୁରକ୍ଷା ଭାର ବହନ କରୁଥିବା କମିଶନରେଟ୍ ପୋଲିସ ନିଜେ ଫିଟ୍ ରହିବାକୁ ସେ ଗୁରୁତ୍ୱ ଦେଇଛନ୍ତି । କର୍ମଚାରୀମାନେ ପ୍ରାରମ୍ଭିକ ପ୍ରଶିକ୍ଷଣ ସମୟରେ ବ୍ୟାପକ ଖେଳକୁଦ କରନ୍ତି ଓ ବେଶ ସ୍ୱାସ୍ଥ୍ୟବାନ ହୋଇ ବିଭାଗରେ ଯୋଗ ଦିଅନ୍ତି । କିନ୍ତୁ ପରବର୍ତୀ ସମୟରେ ସେମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେଉନାହାନ୍ତି । ଫଳରେ ସେମାନେ ରକ୍ତଚାପ, ମଧୁମେହ,ଅତ୍ୟଧିକ ମେଦ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
କମିଶନରଙ୍କ ନିର୍ଦ୍ଦେଶ ମୁତାବକ, ଏକ ସପ୍ତାହ ମଧ୍ୟରେ ସବୁ କର୍ମଚାରୀଙ୍କ ଉଚ୍ଚତା, ଓଜନ ମାପ ହେବ। ସବୁ କର୍ମଚାରୀଙ୍କୁ ସେମାନଙ୍କ ବଡି ମାସ୍ ଇଣ୍ଡେକ୍ସ ଲିଖିତ ଭାବେ ଦିଆଯିବ। ବୟସ, ଉଚ୍ଚତା ଅନୁସାରେ ଓଜନ କେତେ ହେବା କଥା ସେ ସମ୍ପର୍କରେ ମଧ୍ୟ କୁହାଯିବ। ୧୯ରୁ ୨୫ ଯାଏ BMI (Body mass index ) ସ୍ୱାଭାବିକ, ୩୦ ହେଲେ ମେଦବହୁଳତା ବୋଲି ଧରାଯିବ। କମିଶନରେଟ ପୁଲିସ୍ର ସମସ୍ତ କର୍ମଚାରୀଙ୍କୁ ସେମାନଙ୍କ ଓଜନ, BMI କେତେ ରହିବା ଉଚିତ ସେ ସମ୍ପର୍କରେ ଜୁଲାଇ ୩୦ ସୁଦ୍ଧା ଅବଗତ କରାଯିବ।
ଏହାର ୩ ମାସ ପରେ ନଭେମ୍ବର ମାସରେ ପୁଣି ସମସ୍ତଙ୍କ ଓଜନ ନିଆଯିବ। ସେମାନେ ଓଜନ କମାଇବାକୁ କେତେ ଚେଷ୍ଟିତ, ପରଖାଯିବ। ଯାହାର BMI ୩୦ ଉପରେ ଥିବ, ବାଧ୍ୟତାମୂଳକ ବ୍ୟାୟାମ କରିବେ। ବାଧ୍ୟତାମୂଳକ ବ୍ୟାୟାମ ସହ ୬ ସପ୍ତାହ ରିଫ୍ରେସର କୋର୍ସ କରିବେ। ଯେଉଁମାନେ ଆଦେଶକୁ ଗୁରୁତ୍ୱ ଦେବେନି, କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଡ଼ା ତାଗିଦ କରିଛନ୍ତି ସିପି। ଏପରିକି ସେମାନଙ୍କ ଇନକ୍ରିମେଣ୍ଟ ମଧ୍ୟ ବନ୍ଦ କରାଯାଇପାରେ। ନଚେତ ସ୍ୱାସ୍ଥ୍ୟଗତ କାରଣରୁ ବାଧ୍ୟତାମୂଳକ ଅବସର ବି ଦିଆଯାଇପାରେ ବୋଲି ଚେତାଇ ଦେଇଛନ୍ତି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0