ଭୁବନେଶ୍ୱର : ରାଜଧାନୀରେ ଅଖା ବ୍ୟାଗରୁ ଭିତରୁ ଜବତ ହେଲା ୩୦ ଲକ୍ଷ ଟଙ୍କା। ଖଣ୍ଡଗିରି ପୁଲିସ୍ ଆଜି ସକାଳୁ ଏହି ଟଙ୍କା ଜବତ କରିଥିବା ବେଳେ ଏହି ଘଟଣାରେ ମହାବୀର ପ୍ରସାଦ ଦାସ ନାମକ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।
ମିଳିଥିବା ସୂଚନା ଅନୁଯାୟୀ, ମହାବୀର ଟଙ୍କା ଭର୍ତ୍ତି ଏକ ବ୍ୟାଗ ଧରି ତପୋବନ ପେଟ୍ରୋଲ ପମ୍ପ ପାଖରେ ଛିଡ଼ା ହୋଇଥିଲେ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖଣ୍ଡଗିରି ପୁଲିସ୍ ସେଠାରେ ପହଞ୍ଚି ତାଙ୍କ ନିକଟରୁ ଟଙ୍କା ଜବତ କରିବା ସହ ତାଙ୍କୁ ଥାନାକୁ ନେଇଛି। ସେ ଏତେ ପରିମାଣର ଟଙ୍କା କେଉଁଠୁ ପାଇଲେ, ସେନେଇ ପୁଲିସ୍ ତାଙ୍କୁ ପଚରାଉଚରା କରୁଛି।
ଖବର ପାଇ ମହାବୀରଙ୍କ ସାଙ୍ଗ ପ୍ରଳୟ କୁମାର ପାଢ଼ୀ ନାମକ ଯୁବକ ଥାନାରେ ପହଞ୍ଚି ଉକ୍ତ ଟଙ୍କା ତାଙ୍କର ବୋଲି କହିଛନ୍ତି। ସେ ପାନ ମସଲା, ଗୁଟଖା ବେପାର କରୁଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନକୁ ମାଲ୍ ପଠାଇଥା’ନ୍ତି। ମାତ୍ର ଲକ୍ଡାଉନ୍, ଶଟଡାଉନ୍ ଯୋଗୁ ପାରଳାଖେମୁଣ୍ଡିରେ ତାଙ୍କର ଲକ୍ଷାଧିକ ଟଙ୍କା ବାକି ପଡ଼ିଥିଲା। ଉକ୍ତ ଟଙ୍କା କଲେକସନ୍ କରିବା ନିମନ୍ତେ ସେ ନିଜ ସାଙ୍ଗ ମହାବୀରଙ୍କୁ ପାରଳାଖେମୁଣ୍ଡି ପଠାଇଥିଲେ। ମହାବୀର ସେଠାରୁ ୩୦ ଲକ୍ଷ ଟଙ୍କା ଆଣି ବସ୍ରେ ଆସି ଆଜି ସକାଳେ ପହଞ୍ଚିଥିବା ବେଳେ ପୁଲିସ୍ ତାକୁ ଅଟକ ରଖିଛି। ଏହି ଟଙ୍କା ସମ୍ପୂର୍ଣ୍ଣ ରୂପେ ତାଙ୍କର ଓ ଏହାର ସମସ୍ତ ହିସାବ ଏବଂ ଆବଶ୍ୟକ ସମସ୍ତ କାଗଜପତ୍ର ସେ ପୁଲିସ୍ ସମ୍ମୁଖରେ ଦେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତକାଲି କଟକ ନୟାସଡ଼କରେ ଥିବା ଏକ IIFL ଫାଇନାନ୍ସ କମ୍ପାନୀରୁ ଲକ୍ଷାଧିକ ଟଙ୍କା ସମେତ ସୁନାଗହଣା ଲୁଟ୍ ହୋଇଥିଲା। ଏହି ଘଟଣାର ପୁଲିସ୍ ଖୋଳତାଡ଼ କରୁଥିବା ବେଳେ ଆଜି ରାଜଧାନୀ ଭୁବନେଶ୍ୱରରୁ ସନ୍ଦେହଜନକ ଭାବେ ୩୦ ଲକ୍ଷ ଟଙ୍କା ମିଳିବା ସମ୍ପୂର୍ଣ୍ଣ ଘଟଣାକୁ ରହସ୍ୟବୃତ୍ତ କରୁଛି। ଉଭୟ ଘଟଣାରେ କିଛି ଲିଙ୍କ ରହିଛି କି ନା ପ୍ରଳୟଙ୍କ ଦାବି ମୁତାବକ ସମ୍ପୂର୍ଣ୍ଣ ଟଙ୍କା ତାଙ୍କର, ତାହା ପୁଲିସ୍ ତଦନ୍ତ ପରେ ଜଣାପଡ଼ିବ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0