ଭୁବନେଶ୍ୱର : ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡର ତଦନ୍ତ ପାଇଁ ଦୀର୍ଘ ୪ ମାସ ହେଲା ଗୁହାରି କରି ଶେଷରେ ତାଙ୍କ ବାପାମା’ ଆତ୍ମାହୁତି ଉଦ୍ୟମ କରିବା ପରେ ଏହାକୁ ନେଇ ଚର୍ଚ୍ଚା ସରଗରମ ହେବାରେ ଲାଗିଛି। ପୁଲିସ୍ ଅଭିଯୁକ୍ତକୁ ଘଣ୍ଟ ଘୋଡ଼ାଉଥିବା ନେଇ ପରୀର ବାପାମା’ ଅଭିଯୋଗ ଆଣୁଥିବା ବେଳେ ଏହି ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଗତକାଲି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଘୋଷଣା କରିଛନ୍ତି।
ତେବେ ଏନେଇ ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ରଖିଥିବା ମନ୍ତବ୍ୟ ଦୁଃଖଦାୟକ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗତ ୪ ମାସ ହେଲା ଏହି ହତ୍ୟାକାଣ୍ଡର କି ପ୍ରକାର ଅନୁସନ୍ଧାନ ଚାଲିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଯେଉଁମାନେ କର୍ତ୍ତବ୍ୟରେ ଅବହେଳା କରିଛନ୍ତି ସେମାନେ ଦଣ୍ଡିତ ହେବା ଦରକାର ବୋଲି ମଧ୍ୟ ମନ୍ତ୍ରୀ ପ୍ରଧାନ ନିଜ ମନ୍ତବ୍ୟରେ କହିଛନ୍ତି ।
ଏହାପରେ ବିରୋଧୀଙ୍କ ଚାପ ପରେ ଗତକାଲି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ବିବୃତି ରଖି ପରୀକୁ ଅପହରଣ ପରେ ହତ୍ୟା କରାଯାଇଥିବା ସ୍ୱୀକାର କରିଥିଲେ। ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମନ୍ତ୍ରୀ ବିଧାନସଭାରେ ଘୋଷଣା କରିଥିଲେ। ମାମଲାର ଗୁରୁତ୍ୱ ଦୃଷ୍ଟିରୁ ଯଥା ଶୀଘ୍ର ଥାନାକୁ ଯାଇ ସେଠାରୁ କ୍ରାଇମବ୍ରାଞ୍ଚ ଏହି ମାମଲା ସଂପର୍କିତ ତଥ୍ୟ ସଂଗ୍ରହ କରିବାର ସମ୍ଭାବନା ରହିଛି ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି। ତେବେ କ୍ରାଇମବ୍ରାଞ୍ଚ ତଦନ୍ତର ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ।
ସେପଟେ ପରୀର ବାପା ଆଉ ଏକ ସଂଗୀନ ଅଭିଯୋଗ କରିଛନ୍ତି ସେ କହିଛନ୍ତି, ମୁଖ୍ୟ ଅଭିଯୁକ୍ତ ବାବୁଲି ନାଏକ ପିଲାଚୋରି ରାକେଟରେ ସଂପୃକ୍ତ ଅଛି। ସେ କିଡନୀ ଓ ଆଖି ବିକ୍ରି କରିଥାଏ ସେପଟେ ବାବୁଲିକୁ ମନ୍ତ୍ରୀ ଅରୁଣ ସାହୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ କରି ବିଜେପି ବିକ୍ଷୋଭ କରିଥିଲା।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0