ପୁରୀ : ମହାକାର୍ତ୍ତିକ ମାସର ପବିତ୍ର ପଞ୍ଚୁକ ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ। ପଞ୍ଚୁକର ତ୍ରୟୋଦଶୀ ତିଥିରେ ଆଜି ମହାପ୍ରଭୁଙ୍କ ତ୍ରୀବିକ୍ରମ ବେଶରେ ବିଭୂଷିତ ହେବେ। ମହାପ୍ରଭୁଙ୍କ ବେଶ ଓ ନୀତିକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସୁବ୍ୟବସ୍ଥା କରାଯାଇଛି।
ଶୁକ୍ରବାର ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିବା ବେଳେ ଆଜି ମହାପ୍ରଭୁ ତ୍ରୀବିକ୍ରମ ବା ଆଡ଼ିକିଆ ବେଶରେ ବିଭୂଷିତ ହେବେ। କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ତିଥିରେ ଅବକାଶ ନୀତି ସମାପନ ହେବା ପରେ ପୁଷ୍ପାଳକ ସେବାୟତଙ୍କ ଦ୍ୱାରା ଆଡ଼ିକିଆ ବେଶ କରାଯାଇଥାଏ। ଆଡ଼ିକିଆ ବେଶରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯାଏ। ସୋଲ, କନା, ବେତ, ଜମ୍ୱୁରା ଓ କଇଁଥ ଅଠାରେ ନିର୍ମିତ ହେବା ପରେ ଚୂଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଖୋସା ଯାଇଥାଏ। ତ୍ରୀବିକ୍ରମ ବେଶ ଦର୍ଶନରେ ଅଶେଷ ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି। ତେବେ କରୋନା ମହାମାରୀ ଯୋଗୁଁ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ଥିବାରୁ ପତିତପାବନଙ୍କ ଦର୍ଶନ ଲାଗି ସିଂହଦ୍ବାର ସମ୍ମୁଖରେ ଶ୍ରଦ୍ଧାଳୁଙ୍କ ବେଶ୍ ଗହଳି ଜମିଛି। ଆସନ୍ତାକାଲି ଚତୁର୍ଦ୍ଦଶୀ ତିଥିରେ ଶ୍ରୀଜୀଉଙ୍କର ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେବା ସହ ଶେଷ ଦିନ ଅର୍ଥାତ୍ ପୁର୍ଣ୍ଣମୀରେ ରାଜରାଜେଶ୍ୱର ବା ସୁନାବେଶରେ ବିଭୂଷିତ ହେବେ ଶ୍ରୀଜୀଉ।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0