ଭୁବନେଶ୍ବର: ପୁଣି ‘ପରୀ’ ପ୍ରସଙ୍ଗ ଉଠି ବିଧାନସଭା ହୁଲସ୍ଥୁଲ ହୋଇଛି । ଏହି ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିବା ପରେ ଗୃହକୁ ବାଚସ୍ପତି ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ‘ପରୀ’ ପ୍ରସଙ୍ଗ ଉଠାଇଥିଲେ। ଏସଆଇଟି ତଦନ୍ତ ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ସେ ଦାବି କଲେ। ସେ କହିଥିଲେ ଯେ ବାଚସ୍ପତି ୪ଟି ଦିଗରୁ ବିବୃତି ରଖିବାକୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ କହିଥିଲେ । ଏଥିସହ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ଗଠନ ଓ ମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ଦୋହରାଇଥିଲେ ନରସିଂହ ମିଶ୍ର। । ତେଣୁ ଏସଆଇଟି ତଦନ୍ତ ସମ୍ପର୍କରେ ସରକାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ସେ କହିଥିଲେ । ପରୀ ପ୍ରସଙ୍ଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କରିଥିଲା ବିଜେପି । ଘଟଣାର ସିବିଆଇ ତଦନ୍ତ କରିବା ପାଇଁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଗୃହରେ ଦାବି କରିବା ସହ ଏସଆଇଟି ତଦନ୍ତର ସ୍ୱଚ୍ଛତା ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ପରୀ ମୃତ୍ୟୁ ଘଟଣାରେ ଏସଆଇଟି ଗଠନ ନେଇ ତୁରନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ଅଦାଲତଙ୍କ ତତ୍ତ୍ୱାବଧାନରେ ଏସଆଇଟି ଗଠନ ନେଇ ଖୁବ ଶୀଘ୍ର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ଗୃହରେ ବିବୃତି ରଖିଛନ୍ତି । ତେବେ ବିରୋଧୀଙ୍କ ହୋହାଲ୍ଲା ଯୋଗୁଁ ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବୀ ରଖିଛନ୍ତି ବାଚସ୍ପତି ।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0