ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନରେ ମାନସିକ ଅବସାଦ ଏକ ପ୍ରମୁଖ ସମସ୍ୟା ଭାବରେ ମୁଣ୍ଡ ଟେକିଛି । ବିଶେଷ କରି ଯୁବଗୋଷ୍ଠୀ ବହୁଳ ଭାବରେ ମାନସିକ ଅବସାଦର ଶିକାର ହେଉଛନ୍ତି । ବେକାରୀ ସମସ୍ୟା, ଘରୋଇ ହିଂସା, ଭବିଷ୍ୟତ ଚିନ୍ତା, ଅଫିସ ଟେନସନ୍ ଆଦି ଏହାର ମୁଖ୍ୟ କାରଣ । ବେଳେବେଳେ ଅବସାଦରୁ ରକ୍ଷା ପାଇବା ପାଇଁ ଏମାନେ ଆତ୍ମହତ୍ୟା କରିବାକୁ ପଛାନ୍ତି ନାହିଁ । ଏହି ସମସ୍ୟାରୁ ରକ୍ଷା ପାଇବାକୁ ହେଲେ, କେମିତି ନେବେ ନିଜର ଯତ୍ନ ?
ପ୍ରତ୍ୟେହ ସକାଳୁ କଅଁଳ ସୂର୍ଯ୍ୟ କିରଣରେ ବୁଲିବା ସହିତ କିଛି ସମୟ ବ୍ୟାୟାମ କରିବା ଉଚିତ । ଖୋଲା ସ୍ଥାନରେ ପ୍ରାଣାୟମ କରିବା ଦ୍ୱାରା ମନ ସ୍ଥିର ରହିଥାଏ । ନିଜ ମନର ଅବସାଦକୁ ନିଜ ଆତ୍ମୀୟଙ୍କ ସହ ବାଣ୍ଟିବା ଦ୍ୱାରା ଭାରାକ୍ରାନ୍ତ ମନ ହାଲକା ଲାଗିଥାଏ । ଆତ୍ମବିଶ୍ୱାସ ଏ କ୍ଷେତ୍ରରେ ଏକ ବ୍ରହ୍ମାସ୍ତ୍ର ପରି କାମ କରେ । ବେଳେବେଳେ ଆମେ ନିଜକୁ ଶ୍ରେଷ୍ଠ ଦର୍ଶାଇବାକୁ ଯାଇ ବହୁ ଚିନ୍ତାରେ ପଡିଥାଉ । ସବୁବେଳେ ନିଜ ଉପରେ ବିଶ୍ୱାସ ରଖିବା ଆବଶ୍ୟକ । ନକରାତ୍ମକ କଥା ନ ଚିନ୍ତା କରି ସକରାତ୍ମକ ଭାବନାକୁ ପ୍ରାଧାନ୍ୟ ଦେବା ଆବଶ୍ୟକ । ବେଳେବେଳେ ଡର ମଧ୍ୟ ମାନସିକ ଅବସାଦର କାରଣ ପାଲଟିଯାଏ । ଏହି ସମୟରେ ନିଜ ମନକୁ ସ୍ଥର ରଖିବାକୁ ପଡିଥାଏ । ଏଥିପାଇଁ ବହି ପଢିବା, ସଙ୍ଗୀତ ଶୁଣିବା, ପ୍ରାର୍ଥନା କରିବା ସହ ଚିନ୍ତାମୁକ୍ତ ଭାବେ କିଛି ସମୟ ସ୍ଥିର ହୋଇ ବସିବା ବେଶ ଲାଭଦାୟକ ହୋଇଥାଏ ।
ମାନସିକ ଅବସାଦରେ ଥିବା ସମୟରେ ଆମେ ଆମ ଶରୀରର ଯତ୍ନ ନେବା ଭୁଲିଯାଉ । ଯାହା ଫଳରେ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ଏଥିପାଇଁ ଏହି ସମୟରେ ନିଜ ଖାଦ୍ୟ ପାନୀୟ ସହ ସୁନିଦ୍ରା ଉପରେ ଧ୍ୟାନ ଦେବା ଉଚିତ୍ । ଯଦି ଏସବୁ ପରେ ମଧ୍ୟ ମାନସିକ ଅବସାଦରୁ ମୁକ୍ତି ମିଳୁନାହିଁ ତେବେ ଆପଣ ମାନସିକ ଚିକିତ୍ସକଙ୍କ ସହାୟତା ନେଇପାରିବେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0