ଚେନ୍ନାଇ: ସାମୁଦ୍ରିକ ଝଡ଼ ‘ବୁରେଭି’ ଆଜି ଅପରାହ୍ନରେ ସ୍ଥଳ ଭାଗ ଛୁଇଁବ। ଏଥିପାଇଁ କେରଳ ଏବଂ ତାମିଲନାଡୁ ରେ ହାଇଆଲର୍ଟ ଜାରି ରହିଛି। କେରଳର ଥିରୁଅନନ୍ତପୁରମରେ ବୁରେଭି ସ୍ଥଳ ଭାଗ ଛୁଇଁବ ବୋଲି ଜଣାପଡ଼ିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ତେବେ ଗୁରୁବାର ତାମିଲନାଡୁ, ପୁଡୁଚେରୀ ଆଦିରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିବା ସୂଚନା । ଏହାକୁ ନଜରରେ ରଖି ତାମିଲନାଡୁର ୬ଟି ଜିଲ୍ଲା ଏବଂ କେରଳର ୫ ଜିଲ୍ଲାକୁ ଛୁଟି ଘୋଷଣା କରିଛନ୍ତି ସଂପୃକ୍ତ ରାଜ୍ୟ ସରକାର। ପରିସ୍ଥିତିର ମୁକାବିଲା ପାଇଁ କେରଳ ପ୍ରାକୃତିକ ବିପର୍ୟ୍ୟୟ ଟିମର ମୁଖ୍ୟଙ୍କ ସହ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ବୈଠକ କରିଥିଲେ। ଏହାପରେ ଥିରୁଅନନ୍ତପୁରମ୍, କୋଲ୍ଲମ, ପଠାନମଥିଟ୍ଟା, ଅଲାପୁଜ୍ଝା, କୋଟାୟାମ ଏବଂ ଇଡୁକିରେ ଏନଡିଆରଏଫ ଟିମ୍ ନିୟୋଜିତ ହୋଇଛନ୍ତି । ତେବେ ଜରୁରୀକାଳୀନ ସେବା ପାଇଁ ପ୍ରତିରକ୍ଷା ବାହିନୀକୁ ଆଲର୍ଟରେ ରଖାଯାଇଛି। ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କେରଳ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ସମସ୍ତ ପ୍ରକାର ସହଯୋଗ ପାଇଁ ପ୍ରତିଶୃତି ଦେଇଛନ୍ତି। ଥିରୁଅନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦର ସକାଳ ୧୦ଟାରୁ ୬ଟା ପର୍ୟ୍ୟନ୍ତ ବନ୍ଦ ରହିବ । ସମ୍ବେଦନଶୀଳ ସ୍ଥାନରେ ରହୁଥିବା ଲୋକ ମାନଙ୍କୁ ସରକାର ରିଲିଫ୍ କ୍ୟାମ୍ପକୁ ସ୍ଥାନାନ୍ତର କରିଛନ୍ତି। ସେହିପରି ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0