spot_img

ଅପରାହ୍ନ ୪ଟା ଯାଏଁ ମହାପ୍ରଭୁଙ୍କ ଦର୍ଶନ

ପୁରୀ: ମନ୍ଦିର ଖୋଲିବା ପରେ ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଶ୍ରୀକ୍ଷେତ୍ରବାସୀ। ପର୍ୟ୍ୟାୟ କ୍ରମେ ପ୍ରତିଦିନ ୩ଟି ସିଫ୍ଟରେ ୱାର୍ଡ ୱାରୀ ଦର୍ଶନ ଚାଲିଛି। ଭଡାଟିଆ ଓ ପୁରୀରେ ରହୁଥିବା କର୍ମଜୀବୀ ମଧ୍ୟ ଦର୍ଶନ ସୁଯୋଗ ପାଇଛନ୍ତି । ସୂଚନା ଅନୁସାରେ, ଆଜି ୨ଟି ସିଫ୍ଟରେ ଅପରାହ୍ନ ୪ଟା ଯାଏଁ ୨୮, ୨୯ ଓ ୩୧ ନମ୍ବର ୱାର୍ଡବାସୀ ଜଗା ଦର୍ଶନ କରିବାର ସୁଯୋଗ ପାଉଛନ୍ତି । ହେଲେ ୪ଟା ପରଠାରୁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ । ଯଦିଓ ଦର୍ଶନ ବନ୍ଦ ରହିବ ତଥାପି ଶ୍ରୀଜିଉଙ୍କ ନୀତିକାନ୍ତି ପୂର୍ବବତ ଜାରି ରହିବ। ପୂର୍ବ ନିର୍ଦ୍ଦେଶ ମୁତାବକ ଆସନ୍ତା କାଲି ଏବଂ ଶନିବାର ୨ଦିନ ଜଗନ୍ନାଥ ଦର୍ଶନ ବନ୍ଦ ରହିବ । ପୁଣି ୩ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ମନ୍ଦିର ଖୋଲିବା ପରେ ସର୍ବସାଧାରଣ ମହାବାହୁଙ୍କ ଦର୍ଶନ ଆରମ୍ଭ କରି ପାରିବେ । ସକାଳ ୮ରୁ ଦର୍ଶନ ବ୍ୟବସ୍ଥା ହୋଇଥିବା ବେଳେ ଏଥର କିନ୍ତୁ ପୁରୀ ସହ ବାହାର ଜିଲ୍ଲାବାସୀ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ସୁବିଧା ପାଇବେ । ପ୍ରଶାସନର ନିୟମ ଅନୁଯାୟୀ ସାଙ୍ଗରେ ପରିଚୟ ପତ୍ର ସହ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ ବାହାର ଜିଲ୍ଲାର ଭକ୍ତ । ଗତ ୨୬ ତାରିଖଠାରୁ ୱାର୍ଡ ୱାରି ପୁରୀବାସୀଙ୍କ ଚାଲିଛି ଜଗନ୍ନାଥ ଦର୍ଶନ । ଲୋକଙ୍କ ସହଯୋଗକୁ ଦେଖି ପୁରୀରେ ରହୁଥିବା କର୍ମଜୀବୀ, ସରକାରୀ କର୍ମଚାରୀ ଓ ଭଡାଟିଆମାନଙ୍କ ପାଇଁ ପ୍ରଶାସନ ଦର୍ଶନ ଅନୁମତି ଦେଇଥିଲେ । ଗତ ୯ ମାସ ଧରି ହୁଣ୍ଡିର ଆୟ ସମସ୍ତଙ୍କୁ ଚିନ୍ତିତ କରିଥିବା ବେଳେ ଏବେ ଦାନ ବଢିଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁ ଏହାକୁ ସ୍ୱାଗତ କରିଥିବା ସୂଚନା ମିଳୁଛି । ତେବେ ନିକଟରେ ଶ୍ରୀ ମନ୍ଦିରରେ ଭକ୍ତଙ୍କ ଦର୍ଶନ ନେଇ ପ୍ରଶାସନ ପକ୍ଷରୁ ଏସଓପି ଜାରି କରାଯାଇଥିଲା ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular