ଭୁବନେଶ୍ବର : କୋଭିଡ କଟକଣା ଯୋଗୁଁ ଶିକ୍ଷାନୁଷ୍ଠାନଗୁଡ଼ିକ ମାର୍ଚ୍ଚ ମାସରୁ ବନ୍ଦ ଥିବା ବେଳେ ଆସନ୍ତା ୮ତାରିଖରୁ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ଯିବେ। ଆସନ୍ତା ମେ’ ମାସରେ ହେବାକୁ ଥିବା ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ସହ ସର୍ବଭାରତୀୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି। କିନ୍ତୁ ବାକି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନରେ ପାଠପଢ଼ା ଜାରି ରହିବ। ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଜାନୁଆରି ୮ରୁ ଏପ୍ରିଲ ୨୬ତାରିଖ ପର୍ୟ୍ୟନ୍ତ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ଦେବା ପାଇଁ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କର ପାଠପଢ଼ା ଜାନୁଆରି ୮ରୁ ଏପ୍ରିଲ ୨୮ ପର୍ୟ୍ୟନ୍ତ ହେବ। ଉପରୋକ୍ତ ନିର୍ଘଣ୍ଟ ଅନୁସାରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ଶନିବାର/ରବିବାରକୁ ମିଶାଇ ୧୦୦ ଦିନ ପାଠପଢ଼ା ହେବ। ଆବଶ୍ୟକସ୍ଥଳେ ଅନ୍ୟଦିନକୁ ଛୁଟି ଦିନ ଘୋଷଣା କରାଯିବ। ସେହିପରି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଯେପରି କୋଭିଡ କଟକଣା ଅନୁଯାୟୀ ସ୍କୁଲ ଆସିବେ ଓ ପାଠପଢ଼ା ହେବ ସେଥିପାଇଁ ଏକ ବିସ୍ତୃତ ମାର୍ଗଦର୍ଶିକା (ଏସଓପି) ଜାରି ହୋଇଛି। ଏହି ଏସ୍ଓପି ଅନୁଯାୟୀ ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବ। ଆସନ୍ତା ୮ତାରିଖରୁ ସ୍କୁଲ ଖୋଲିଲେ କିପରି ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ସ୍କୁଲ ଆସିବେ, ସ୍କୁଲରେ କି ପ୍ରକାରର ଭିତ୍ତିଭୂମି ଥିବା ଦରକାର, କିପରି କରୋନା ସଂକ୍ରମଣ ହେବନି, ଶିକ୍ଷକଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ଦାୟିତ୍ବ କ’ଣ ରହିବ ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି ହୋଇଛି। କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ସ୍କୁଲ ଖୋଲିବ।



Visitors Today : 2
Total Visitors : 130305
Total Views : 9891808
Visitors Online Now : 0