ମେଲବୋର୍ଣ୍ଣ: ଦିନିକିଆ କ୍ରିକେଟକୁ ପୂରିଛି ୫୦ ବର୍ଷ । ତେବେ ୧୯୭୧ ମସିହା ଜାନୁଆରୀ ୫ ତାରିଖରେ ଆରମ୍ଭ ହୋଇଥିଲା ଆନ୍ତର୍ଜାତୀୟ ଦିନିକିଆ ମ୍ୟାଚ । ଇଂଲଣ୍ଡ ଦଳ ୬ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବାକୁ ଅଷ୍ଟ୍ରେଲିଆ ଆସିଥିଲା। ମେଲ୍ବୋର୍ଣ୍ଣରେ ୩ୟ ଟେଷ୍ଟମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇ ଯାଇଥିଲା। ଆର୍ଥିକ କ୍ଷତିର ଭରଣା କରିବା ଲାଗି ଏକ ୪୦ ଓଭର ବିଶିଷ୍ଟ ମ୍ୟାଚ୍ର ଯୋଜନା କରା ଯାଇଥିଲା। ପ୍ରତି ଓଭରରେ ୮ଟି ବଲ୍ ପକା ଯାଇଥିଲା। ପ୍ରଥମେ ଏହା ଏକ ପ୍ରଦର୍ଶନୀ ମ୍ୟାଚ୍ ଭାବେ ଖେଳା ଯାଇଥିଲେ ହେଁ ପରେ ଏହାକୁ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ର ମାନ୍ୟତା ମିଳିଥିଲା। ୪୫ ହଜାର ଦର୍ଶକ ଏମ୍ସିଜିରେ ଏହାକୁ ଦେଖିଥିଲେ। ରେ’ ଇଲିଙ୍ଗ୍ୱର୍ଥ ଇଂଲଣ୍ଡର ଓ ବିଲ୍ ଲରି ଅଷ୍ଟ୍ରେଲିଆର ନେତୃତ୍ବ ନେଇଥିଲେ। ମ୍ୟାଚ୍କୁ ଅଷ୍ଟ୍ରେଲିଆ ୫ ୱିକେଟରେ ଜିତି ନେଇଥିଲା। ଟସ୍ ଜିତି ଅଷ୍ଟ୍ରେଲିଆ ଫିଲ୍ଡିଂ ନେବା ପରେ ୩୯.୨ ଓଭରରେ ଇଂଲଣ୍ଡ ୧୯୦ ରନ୍କରି ଅଲ୍ଆଉଟ ହୋଇ ଯାଇଥିଲା। ଓପ୍ନର ଜନ୍ ଏଡ୍ରିଚ୍ ୧୧୯ ବଲ୍ରୁ ୪ଟି ଚୌକା ସହ ୮୨ ରନ୍ କରିଥିଲେ। କିଥ୍ ଫ୍ଲେଚର ୨୪ ଓ ବାସିଲ୍ ଡି’ଅଲିଭିରା ୧୭ ରନ୍ କରିଥିଲେ। ଆସ୍ଲେ ମାଲେଟ୍ ଓ କିଥ୍ ଷ୍ଟାକ୍ପୋଲ ୩ଟି ଲେଖାଏଁ ଏବଂ ଗ୍ରାହାମ୍ ମ୍ୟାକେଞ୍ଜି ୨ଟି ୱିକେଟ ନେଇଥିଲେ। ଅଷ୍ଟ୍ରେଲିଆ ୩୫ ଓଭରରେ ୫ ୱିକେଟ ହରାଇ ବିଜୟୀ ହୋଇଥିଲା।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0