ନୂଆଦିଲ୍ଲୀ: ଭାରତରେ ପି.ଏମ-କେୟାର୍ସ ପାଣ୍ଠିରେ ପ୍ରତିଷ୍ଠା ହେବ ୧୬୨ଟି ମେଡିକାଲ ଅକ୍ସିଜେନ କାରଖାନା । ତେବେ ଏନେଇ ପି.ଏମ୍-କେୟାର୍ସ ପାଣ୍ଠି ଟ୍ରଷ୍ଟରୁ ୨୦୧ କୋଟି ୫୮ ଲକ୍ଷ ଟଙ୍କା ଆବଣ୍ଟନ କରାଯାଇଛି। ମୋଟ ପ୍ରକଳ୍ପ ବାବଦ ଖର୍ଚ୍ଚ ମଧ୍ୟରେ ୧୩୭ କୋଟି ୩୩ ଲକ୍ଷ ଟଙ୍କା ଯୋଗାଣ ଓ କାରଖାନା ସ୍ଥାପନ ଏବଂ ସେଣ୍ଟ୍ରାଲ୍ ମେଡିକାଲ୍ ସପ୍ଲାଇ ଷ୍ଟୋର ପରିଚାଳନା ଫି’ ବାବଦରେ ଦିଆଯାଉଥିବାବେଳେ ୬୪ କୋଟି ୨୫ ଲକ୍ଷ ଟଙ୍କା ବାର୍ଷିକ ରକ୍ଷଣାବେକ୍ଷଣ ଠିକା ବାବଦରେ ଦିଆଯିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ ସେଣ୍ଟ୍ରାଲ୍ ମେଡିକାଲ୍ ସପ୍ଲାଇ ଷ୍ଟୋର ଦ୍ୱାରା ସଂଗ୍ରହ କାର୍ୟ୍ୟ କରାଯିବ। ୩୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧୫୪. ୧୯ ମେଟ୍ରିକ୍ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ୧୬୨ଟି କାରଖାନା ସ୍ଥାପନ କରାଯିବ। ଏହି କାରଖାନାଗୁଡ଼ିକ ସ୍ଥାପନ ହେବାକୁ ଥିବା ସରକାରୀ ହସ୍ପିଟାଲ୍ଗୁଡ଼ିକୁ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ପରାମର୍ଶ କରାଯାଇ ଚିହ୍ନଟ କରାଯାଇଛି। କାରଖାନାଗୁଡ଼ିକୁ ପ୍ରଥମ ୩ ବର୍ଷ ଲାଗି ୱାରେଣ୍ଟି ଦିଆଯିବ। ପରବର୍ତ୍ତୀ ୭ ବର୍ଷ ପାଇଁ ପ୍ରକଳ୍ପ ମଧ୍ୟରେ ବାର୍ଷିକ ରକ୍ଷଣାବେକ୍ଷଣ ଠିକାକୁ ସାମିଲ୍ କରାଯାଇଛି।



Visitors Today : 1
Total Visitors : 130167
Total Views : 9891612
Visitors Online Now : 1