ଆଜି ଅର୍ଥନୀତିଜ୍ଞ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା କାଳରେ ଭୁଷୁଡି ପଡିଥିବା ଅର୍ଥନୀତିର ସୁଧାର ପାଇଁ ବରିଷ୍ଠ ଅର୍ଥନୀତିଜ୍ଞଙ୍କ ସହ ଏହି ଆଲୋଚନା ହେବ । କରୋନା ସମୟରେ ଗୋଟେ ପଟେ ପ୍ରତିଟି ଲୋକର ରୋଜଗାର କମିଥିବା ବେଳେ ବଜାର ଦର ଏବେ ହୁ ହୁ ହୋଇ ବଢିଚାଲିଛି । କରୋନା ମହାମାରୀ ପାଇଁ ସରକାର ରାଜକୋଷରୁ ସହାୟତା ଦେଇ ଦେଇ ଏବେ ରାଜକୋଷ ଖାଲି ହେବାକୁ ବସିଛି । ଫଳରେ ଦେଶର ଅର୍ଥନୀତି ଏବେ ପୁରା ମାନ୍ଦାବସ୍ଥା ଦେଇ ଗତି କରୁଛି । ଏସବୁର ସମାଧାନ କିଭଳି ହୋଇପାରିବ ସେ ନେଇ ପ୍ରଧାନମନ୍ତ୍ରୀ ଆଜି ଦେଶର ବରିଷ୍ଠ ଅର୍ଥନୀତିଜ୍ଞ ମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି । ବଜାରର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା, ଲୋକଙ୍କ ଆୟ ବୃଦ୍ଧି କରିବା ଓ ପୁଣିଥରେ ଅର୍ଥନୀତିକୁ କିଭଳି ସ୍ୱାଭାବିକ କରାଯାଇ ପାରିବ ସେ ନେଇ ଆଜି ଆୟୋଜିତ ହେବାକୁ ଥିବା ଆଲୋଚନାରେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେବେ । କେନ୍ଦ୍ର ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗ ପକ୍ଷରୁ ଏହି କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି । ଏହି କାର୍ୟ୍ୟକ୍ରମରେ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର, ସିଇଓ ଅମିତାଭ କାନ୍ତ ମଧ୍ୟ ଯୋଗ ଦେବେ । ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ୭.୫% କୁ କମିବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଛି । ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ) ଏବଂ ୱାର୍ଲଡ ବ୍ୟାଙ୍କ ମଧ୍ୟ ଭାରତର ଅଭିବୃଦ୍ଧି ଯଥାକ୍ରମେ ୧୦.୩% ଏବଂ ୯.୬ % ଖସିବ ନେଇ ଅନୁମାନ କରିଛନ୍ତି । ଦ୍ୱିତୀୟ ତୈମାସରେ ଦେଶର ଜିଡିପି ୭.୫% ଖସିଛି । ୨୦୧୯-୨୦ ରେ ଦେଶର ଅଭିବୃଦ୍ଧି ୪.୨ % ରହିଛି । ଏସବୁକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଏହାର ସୁଧାର ଆଣିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0