ଟୋକିଓ: ବ୍ରାଜିଲର ଆମାଜନସ ପ୍ରଦେଶରୁ ଆସିଥିବା ଚାରିଜଣ ପର୍ୟ୍ୟଟକଙ୍କ ଠାରେ ନୂଆ ‘ଷ୍ଟ୍ରେନ’ର ଅନ୍ୟ ଏକ କରୋନାଭାଇରସ ଚିହ୍ନଟ କରାଯାଇଥିବା କଥା ରବିବାର ଦିନ ଜାପାନର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି। ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି ଯେ, ଚିହ୍ନଟ ହୋଇଥିବା ଏହି ନୂଆ ‘ଷ୍ଟ୍ରେନ’ର ଭୂତାଣୁ ବିରୋଧରେ ଟିକା ସବୁ ଫଳପ୍ରଦ ହେଉଛନ୍ତି, କି, ନାହିଁ ତାହା ଅଧ୍ୟୟନ କରାଯାଉଛି। ବ୍ରାଜିଲ୍ରୁ ଆସିଥିବା ଏହି ନୂଆ ‘ଷ୍ଟ୍ରେନ’ର ଭୂତାଣୁ କେତେ ସଂକ୍ରମଣଶୀଳ ସେ ସମ୍ପର୍କରେ ଏବେ କୌଣସି ପ୍ରମାଣ ମିଳିନାହିଁ ବୋଲି ‘ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଇନଫେକ୍ସିଅସ ଡିଜିଜେସ’ର ମୁଖ୍ୟ ତାକାଜି ଓ୍ଵକିତା କହିଥିବା କଥା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗଣମାଧ୍ୟମକୁ ଦେଇଥିବା ବିବୃତିରେ ଉଲ୍ଲେଖ ଅଛି। ବ୍ରାଜିଲ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ କହିଛି ଯେ, ଚିହ୍ନିତ ନୂଆ ‘ଷ୍ଟ୍ରେନ’ ଭୂତାଣୁର ୧୨ଟି ପରିବର୍ତ୍ତିତ ଗୁଣସୂତ୍ର ରହିଥିବା କଥା ଜାପାନର କର୍ତ୍ତୃକ୍ଷମାନେ ତାଙ୍କୁ ଅବଗତ କରାଇଛନ୍ତି। ଜାନୁଆରି ୨ ତାରିଖରେ ଟୋକିଓର ହାନେଦା ବିମାନ ବନ୍ଦରରେ ପହଞ୍ଚିଥିବା ଚାରିଜଣ ପର୍ୟ୍ୟଟକଙ୍କ ମଧ୍ୟରୁ ଜଣେ ଚାଳିଶ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ, ତିରିଶ ବର୍ଷରୁ ଅଧିକ ଜଣେ ମହିଳାଙ୍କର ମୁଣ୍ଡ ବିନ୍ଧିବା ସହ ତଣ୍ଟି ଦରଜ ହୋଇଥିଲା। ଅନ୍ୟ ଜଣେ ତରୁଣଙ୍କୁ ଜ୍ୱର ହୋଇଥିଲା ବେଳେ ଆଉ ଜଣେ ତରୁଣୀଙ୍କ ଠାରେ ଆଦୌ କୌଣସି ଲକ୍ଷଣ ଦେଖାଯାଇ ନ ଥିଲା ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି। ସେମାନଙ୍କୁ ଟୋକିଓ ବିମାନ ବନ୍ଦରରେ ‘କ୍ୱାରେଣ୍ଟିନ’ରେ ରଖାଯାଇଛି ବୋଲି ବ୍ରାଜିଲ୍ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0