କଟକ : ସ୍କୁଲ ଫି’ ଛାଡ଼ ପ୍ରସଂଗରେ ରାଜ୍ୟ ସରକାରଙ୍କ ଉପରେ ହାଇକୋର୍ଟ ନିଷ୍ପତ୍ତି ଛାଡ଼ିଛନ୍ତି। ସ୍କୁଲ ଫି’ ଛାଡ଼ ପ୍ରସଂଗରେ ପୂର୍ବରୁ ସ୍ବାକ୍ଷରିତ ଏମଓୟୁ କାର୍ୟ୍ୟକାରୀ ପ୍ରସଂଗରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବେ। ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଥିବା ପ୍ରସ୍ତାବ ଓ ଏ ସଂପର୍କିତ ଏମଓୟୁକୁ ନେଇ ଯଦି କୌଣସି ଅନୁଷ୍ଠାନ ବା ପକ୍ଷଙ୍କ ଭିନ୍ନ ମତ ରହୁଥାଏ ତେବେ ସେମାନେ ପ୍ରତିକାର ପାଇଁ ଆଇନ ଅନୁସାରେ ପୃଥକ ଭାବେ ମାମଲା ଦାୟର କରିପାରିବେ ବୋଲି ହାଇକୋର୍ଟ କହିଛନ୍ତି। ଏଥିପାଇଁ କୌଣସି ପକ୍ଷଙ୍କୁ ବାରଣ କରାଯାଇ ନାହିଁ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଡକ୍ଟର ଜଷ୍ଟିସ ବି.ଆର. ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାଗୁଡିକର ଏକତ୍ର ଶୁଣାଣି କରି ଏପରି ରାୟ ପ୍ରକାଶ କରିଛନ୍ତି। ଏଥିସହିତ ଖଣ୍ଡପୀଠ ୧୯୯୬ ସେପ୍ଟେମ୍ବର ୨୩ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଘରୋଇ ସ୍କୁଲର ସ୍ବୀକୃତି ଓ ଏନଓସି ଜାରି ସଂକ୍ରାନ୍ତରେ ଜାରି ନିୟମାବଳୀର କଡ଼ା କାର୍ୟ୍ୟକାରୀ ପ୍ରସଂଗକୁ ନେଇ ମଧ୍ୟ ପକ୍ଷମାନେ ପୃଥକ ଭାବେ ଆଇନ ଦ୍ବାରା ଅନୁମତିପ୍ରାପ୍ତ ପ୍ରକ୍ରିୟା ଅନୁସରଣ କରିପାରିବେ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରିଛନ୍ତି। ଏପରି ନିର୍ଦ୍ଦେଶ ଦେବା ସହିତ ହାଇକୋର୍ଟ ଏ ସଂପର୍କିତ ସମସ୍ତ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଏ ସଂପର୍କିତ ମାମଲାରେ ପୂର୍ବରୁ ପ୍ରଦାନ କରାଯାଇଥିବା ସମସ୍ତ ଅନ୍ତରୀଣ ନିର୍ଦ୍ଦେଶକୁ ଉଠାଇ ଦିଆଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକର ଆଲୋଚନାକୁ ନେଇ ସ୍କୁଲ ଫି’ ଡ଼ ସଂପର୍କିତ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0