spot_img

ତିନି କୃଷି ଆଇନକୁ ସ୍ଥଗିତ ରଖିବାକୁ କେନ୍ଦ୍ରକୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତିନି ବିବାଦୀୟ କୃଷି ଆଇନକୁ କିଛି ଦିନ ପାଇଁ ସ୍ଥଗିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ। ଏ ନେଇ ଚାଲିଥିବା ମାମଲାର ଶୁଣାଣି ଅବସରରେ ପ୍ରଧାନ ବିଚାରପତି ଏସ ଏ ବୋବଡେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ଏହି ତିନି ଆଇନକୁ ତମେ ସ୍ଥଗିତ ରଖିବ ନା ଆମେ ଏହା କରିବୁ। ସେ କହିଛନ୍ତି, ଏହି ଆଇନ ବିରୋଧୀ ଆନ୍ଦୋଳନ ଜନିତ ସ୍ଥିତି ଅଧିକ ଖରାପ ଆଡ଼କୁ ଗତି କରୁଛି। ଏନେଇ ଆମେ ଅସନ୍ତୋଷ ପ୍ରକାଶ କରୁଛୁ। ଯଦି ଏହାକୁ ନେଇ ରକ୍ତପାତ ହୁଏ ତେବେ ସେଥିପାଇଁ ଆମେ ସମସ୍ତେ ଦାୟୀ ରହିବା। ସଲିସିଟର ଜେନେରାଲ କହିଛନ୍ତି ଯେ ବହୁ ସଂଖ୍ୟକ କୃଷକ ସଂଗଠନ ଏହି ଆଇନକୁ ଲାଭଦାୟକ ବୋଲି କହିଛନ୍ତି। ଏହା ଉପରେ ପ୍ରଧାନ ବିଚାରପତି କହିଛନ୍ତି ଯେ ଆମ ଆଗରେ କେହି ଆସି ଏହା କହି ନାହାନ୍ତି। ତେଣୁ ଆମେ ଏହା ଉପରେ କିଛି କହିବୁ ନାହିଁ କି ବିଚାର କରିପାରିବୁ ନାହିଁ। ଯଦି ବହୁ ଚାଷୀ ସମର୍ଥନ କରୁଛନ୍ତି ତାହେଲେ ଏ ସଂକ୍ରାନ୍ତରେ ଗଠିତ ହୋଇଥିବା କମିଟିକୁ ସର୍ବପ୍ରଥମେ କୁହନ୍ତୁ। ଆଟର୍ଣ୍ଣି ଜେନେରାଲ କହିଛନ୍ତି ଯେ ଆଇନ ତିଆରି ହେବା ପୂର୍ବରୁ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ଅନେକ ଲୋକଙ୍କ ସହ ଆଲୋଚନା ହୋଇଛି। ପୂର୍ବ ସରକାର ମଧ୍ୟ ଏହି ଦିଗରେ ଚେଷ୍ଟା କରିଛନ୍ତି। ଏହା ପରେ ସିଜେଆଇ କହିଛନ୍ତି ଯେ ପୂର୍ବ ସରକାର ଏହାକୁ ଆରମ୍ଭ କରିଥିଲେ ବୋଲି ଏହି ଯୁକ୍ତି ବୈଧତା ରଖୁନି। ଆପଣ କୋର୍ଟକୁ ଏକ ଅଦ୍ଭୁତ ସ୍ଥିତିରେ ରଖୁଛନ୍ତି। ସମାଧାନ ପାଇଁ ସରକାର ବାଟ ବାହାର କରିବା ଦରକାର। ଯଦି ସରକାର ବୁଝାମଣା କରିପାରିବାର କ୍ଷମତା ରଖିଛନ୍ତି ତେବେ ଏ ସମୟରେ ଆଇନର କାର୍ୟ୍ୟକାରିତା ଉପରେ ଜିଦ ନରଖିବା ଦରକାର। ତେଣୁ ପ୍ରଥମେ କଥାବାର୍ତ୍ତା ଆରମ୍ଭ କରନ୍ତୁ। ଏ ବାବଦରେ କୋର୍ଟ ଅବଗତ ଅଛନ୍ତି। ଏଥିପାଇଁ ଏକ କମିଟି ଗଠନ କରିବାକୁ କୋର୍ଟ ନିଷ୍ପତ୍ତି ନେଇଛି। ପ୍ରଧାନ ବିଚାରପତି କହିଛନ୍ତି ଯେ ଆପଣ ସମାଧାନ ଖୋଜିବାରେ ଅସମର୍ଥ। ଆନ୍ଦୋଳନରତ ଚାଷୀ ଆତ୍ମହତ୍ୟା କରୁଛନ୍ତି। ଆନ୍ଦୋଳନରେ କାହିଁକି ମହିଳା ଏବଂ ବୃଦ୍ଧମାନେ ବସିଛନ୍ତି ତାହା ଅସ୍ପଷ୍ଟ। ସମାଧାନ ପାଇଁ ଆମେ ଏକ କମିଟି ଗଠନ କରିବାକୁ ଯାଉଛୁ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular