ଭଞ୍ଜନଗର : ବାଲେଶ୍ୱରରେ ଜଣେ ଯୁବତୀଙ୍କୁ ରାଜଧାନୀ ଭୁବନେଶ୍ୱରରେ କରାଯାଇଥିଲା ମର୍ଡ଼ର। ପ୍ରମାଣ ଲୋଚାଇବାକୁ ଯାଇ ଓଲା କାର୍ରେ ମୃତଦେହକୁ ନେଇ ଗଞ୍ଜାମ ଜିଲ୍ଲା ଭୂଷଣ୍ଡପାଳରେ ଫିଙ୍ଗି ଦିଆଯାଇଥିଲା। ଆଜି ଏହି ହତ୍ୟା ମାମଲାର ପର୍ଦ୍ଦାଫାସ ହୋଇଛି। ଗଞ୍ଜାମ ପୁଲିସ ହତ୍ୟା ଅଭିଯୋଗରେ ଦମ୍ପତିଙ୍କୁ ଗିରଫ କରିବା ସହିତ ଓଲା କାର୍ ଜବତ କରିଛି।
ଡିସେମ୍ବର ୨ ତାରିଖରେ ଭୂଷଣ୍ଡପାଳରୁ ଜଣେ ଯୁବତୀଙ୍କ ମୃତଦେହ ଜଗନ୍ନାଥପ୍ରସାଦ ଥାନା ପୁଲିସ ଜବତ କରିଥିଲା। ହେଲେ ତାଙ୍କ ପରିଚୟ ମିଳିପାରୁନଥିଲା। ତେବେ ମୃତଦେହ ପାଖରୁ ମିଳିଥିବା ଫୋନ୍ ନମ୍ୱରକୁ ନେଇ ପୁଲିସ ଛାନଭିନ୍ ଆରମ୍ଭ କରିଥିଲା। ମାତ୍ର ସେଥିରୁ କୌଣସି ସୁରାଗ ପାଇନଥିଲା। ପରେ ପୁଲିସ ମୃତ ଯୁବତୀଙ୍କ ଫଟୋକୁ ବିଭିନ୍ନ ଥାନା ଓ ହ୍ୱାଟ୍ସଆପ୍ ଗ୍ରୁପ୍ରେ ସେୟାର କରିଥିଲା। ଫଟୋ ଦେଖି ଜଣେ ବ୍ୟକ୍ତି ଯୁବତୀଙ୍କୁ ଚିହ୍ନିଥିଲେ। ମୃତ ଯୁବତୀଙ୍କ ଘର ବାଲେଶ୍ୱର ଜିଲ୍ଲାର ବୋଲି ପୁଲିସ ଜାଣିବାକୁ ପାଇଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କ ବୟାନ ଆଧାରରେ ପୁଲିସ ଭୁବନେଶ୍ୱରରେ ରହୁଥିବା ଦମ୍ପତିଙ୍କୁ ଅଟକ ରଖି ଜେରା କରିଥିଲା। ପରେ ପୂରା ଘଟଣା ଉପରୁ ପର୍ଦ୍ଦା ହଟିଥିଲା।
ଘଟଣାଟି ଏମିତି। ବାଲେଶ୍ୱର ଜିଲ୍ଲା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରରେ ଜଣଙ୍କ ଘରେ ସହାୟିକା ଭାବେ କାମ କରୁଥିଲେ। ସେଠାରେ ରହିଣୀ ସମୟରେ ତାଙ୍କୁ ନିର୍ଯାତନା ଦିଆଯାଇଥିଲା। କାମରେ ଖିଲାପ କରିବାରୁ ଯୁବତୀଙ୍କୁ ନିସ୍ତୁକ ମାଡ଼ ମରିଥିଲେ ଦମ୍ପତି। ଫଳରେ ଯୁବତୀଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ଦମ୍ପତିଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲା। ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ କରିଥିଲେ। ଏକ ଓଲା କାର୍ରେ ଯୁବତୀଙ୍କ ମୃତଦେହକୁ ନେଇ ଭୂଷଣ୍ଡପାଳ ନିକଟରେ ଫିଙ୍ଗି ଦେଇଥିଲେ।
ପୁଲିସ ଘଟଣାରେ ଦମ୍ପତିଙ୍କୁ ଗିରଫ କରିଥିବା ବେଳେ ମୃତଦେହ ନେବାରେ ବ୍ୟବହୃତ ଓଲା କାର୍କୁ ପୁଲିସ ଜବତ କରିଛି। ଏହି ମାମଲାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାହା ଉପରେ ତଦନ୍ତ ଚାଲିଛି। ଅନ୍ୟ କାହାର ସମ୍ପୃକ୍ତି ଥିଲେ ସେମାନଙ୍କୁ ତଦନ୍ତ ପରିସରଭୂକ୍ତ କରାଯିବ ବୋଲି ଗଞ୍ଜାମ ଏସ୍ପି କହିଛନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0