ଭୁବନେଶ୍ବର: ବାହାଘର ପ୍ରସେସନ ଉପରେ ଲାଗୁ କରାଯାଇଥିବା କଟକଣାକୁ ପ୍ରତ୍ୟାହାର କଲେ ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ପକ୍ଷରୁ ବାହାଘର ଓ ଅନ୍ତିମ ସଂସ୍କାର ନେଇ ପୂର୍ବରୁ ଜାରି କରାଯାଇଥିବା ଗାଇଡଲାଇନରେ କେତେକ ପରିବର୍ତ୍ତନ କରାଯାଇଛି। ଏ ନେଇ ସ୍ବତନ୍ତ୍ର ରିଲିଫ କମିସନର୍ ତଥା ଅତିରକ୍ତ ଶାସନ ସଚିବ ପ୍ରଦୀପ ଜେନା ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି। କୋଭିଡ ମହାମାରୀ ହେତୁ ପୂର୍ବରୁ ବାହାଘର ପ୍ରସେସନ୍ ଉପରେ ଲାଗୁ କରାଯାଇଥିବା କଟକଣାକୁ ଓଡ଼ିଶା ସରକାର ଆଜି ପ୍ରତ୍ୟାହାର କରି ନେଇଛନ୍ତି। ବର୍ତ୍ତମାନର ପରିସ୍ଥିତିକୁ ଧ୍ୟାନରେ ରଖି ବାହାଘରରେ ବର, କନ୍ୟା, ପୁରୋହିତ, ବନ୍ଧୁ, ସମ୍ପର୍କୀୟ, ଅତିଥି, ବ୍ୟାଣ୍ଡ ପାର୍ଟି, ଆଲୋକ ଏବଂ ସାଉଣ୍ଡ ସିଷ୍ଟମର ସଦସ୍ୟଙ୍କ ସମେତ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ସର୍ବାଧିକ ୨୦୦ ହୋଇପାରିବ ବୋଲି ନିଷ୍ପତ୍ତି ହୋଇଛି। ତେବେ ବିବାହ ଉତ୍ସବରେ କୋଭିଡ-୧୯ କଟକଣା ନିୟମକୁ କଡ଼ାକଡ଼ି ପାଳନ କରାଯିବ ବୋଲି ସ୍ବତନ୍ତ୍ର ରିଲିଫ କମିସନରଙ୍କର ବିଜ୍ଞପ୍ତିରେ କୁହାଯାଇଛି। ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ଥର୍ମାଲ ସ୍କାନିଂର ବ୍ୟବସ୍ଥା ଏବଂ ହାତ ଧୋଇବା କିମ୍ବା ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ତେବେ ବନ୍ଦ ସ୍ଥାନରେ ମାତ୍ର ୫୦ ପ୍ରତିଶତ ବ୍ୟକ୍ତିଙ୍କୁ ନେଇ ବିବାହ ଉତ୍ସବ ଏବଂ ଅନ୍ତିମ ସଂସ୍କାର ଆୟୋଜିତ ହୋଇପାରିବ ବୋଲି ଏଥିରେ କୁହାଯାଇଛି। ଖୋଲା ସ୍ଥାନରେ ସ୍ଥାନର ଆକାରକୁ ଦୃଷ୍ଟିରେ ରଖି, ଉପଯୁକ୍ତ ସଂଖ୍ୟକ ବ୍ୟକ୍ତି ଏଥିରେ ସାମିଲ ହୋଇପାରିବେ ବୋଲି ମଧ୍ୟ କୁହାଯାଇଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0