ନୂଆଦିଲ୍ଲୀ: ସାଉଦି ଆରବର ସମ୍ରାଟ ମହମ୍ମଦ ବିନ ସଲମାନ ତାଙ୍କ ସ୍ବପ୍ନର ସହର ବିଷୟରେ ସୂଚନା ଦେଇଛନ୍ତି। ଭବିଷ୍ୟତରେ ଖଣିଜ ତୈଳ ବିନା ଜୀବନଧାରଣ ପାଇଁ ସାଉଦି ଆରବର ଲକ୍ଷ୍ୟକୁ ସେ ପରିପ୍ରକାଶ କରିଛନ୍ତି। ତାହାର ଅଂଶସ୍ବରୂପ ସାଉଦି ଆରବରେ ଏମିତି ଏକ ସହର ଦେଖିବାକୁ ମିଳିବ ଯେଉଁଠି ଗାଡ଼ିମୋଟର ଚାଲୁନଥିବ କି ଅଙ୍ଗାରକାମ୍ଳ ନିର୍ଗମନ ହେଉନଥିବ। ଚଳିତ ବର୍ଷର ପ୍ରଥମ ତ୍ରୟୋମାସିକୀରେ ଆରମ୍ଭ ହେବାକୁ ଥିବା ୫୦ ହଜାର କୋଟି ଡଲାରର ‘ନିଅମ୍’ ନାମକ ପ୍ରକଳ୍ପର ଅଂଶ ଭାବେ ‘ଦି ଲାଇନ୍’ ନାମରେ ୧୭୦ କିମି ଦୀର୍ଘର ଏକ ସହର ନିର୍ମାଣ କରାଯିବ। ପ୍ରାୟ ଦଶ ଲକ୍ଷ ନାଗରିକ ବସବାସ କରିବାକୁ ଥିବା ଏହି ସହରରେ ସମସ୍ତେ ପାଦରେ ଚାଲି ଚାଲି ପ୍ରାକୃତିକ ପରିବେଶ ଭିତରେ ଯା’ଆସ କରିବେ। ସହର ଭିତରେ ଜଣକୁ ସର୍ବାଧିକ ୨୦ ମିନିଟର ଯାତ୍ରା କରିବାକୁ ହେବ ଏବଂ ବିଭିନ୍ନ ସଂଯୋଗସ୍ଥଳ ମଧ୍ୟରେ ଅତି ଦ୍ରୁତଗାମୀ ସ୍ବୟଂକ୍ରିୟ ଭ୍ରାମ୍ୟମାଣ ବ୍ୟବସ୍ଥା ରହିବ। ଆଗାମୀ ୨୦୩୦ ସୁଦ୍ଧା ଶେଷ ହେବାକୁ ଥିବା ଏହି ପ୍ରକଳ୍ପରେ ୧୦ ହଜାର କୋଟିରୁ ୨୦ ହଜାର କୋଟି ଡଲାର ଖର୍ଚ୍ଚ ହେବ ହେବ। ଏହି ପ୍ରକଳ୍ପ ମାନବଜାତି ପାଇଁ ଏକ କ୍ରାନ୍ତି ସଦୃଶ ଲିପିବଦ୍ଧ ହୋଇ ରହିବ ବୋଲି ସଲମାନ କହିଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0