ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟିମରେ ବର୍ଷ ବର୍ଷ ବିତାଇଥିବା ଏବଂ ତାଙ୍କର ସବୁଠାରୁ ବିଶ୍ୱସ୍ତ ସହଯୋଗୀମାନଙ୍କ ମଧ୍ୟରେ ଜଣାଯାଉଥିବା ପୂର୍ବତନ ଆଇଏଏସ ଅଧିକାରୀ ଅରବିନ୍ଦ କୁମାର ଶର୍ମା ଆଜି ବିଜେପିରେ ଯୋଗ ଦେଇଛନ୍ତି। ଅରବିନ୍ଦ କୁମାର ଶର୍ମା ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ବିଜେପିରେ ସାମିଲ ହୋଇଛନ୍ତି। ଉତ୍ତରପ୍ରଦେଶର ବିଧାନ ପରିଷଦ ପାଇଁ ଶ୍ରୀ ଶର୍ମାଙ୍କୁ ସାମିଲ କରାଯାଇଥିବା ବେଳେ ଯୋଗୀ ଆଦିତ୍ୟନାଥଙ୍କ ସରକାରରେ ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପଦ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଶ୍ରୀ ଶର୍ମା ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟର ସଚିବ ଥିଲେ। ଏହି ସପ୍ତାହରେ ତାଙ୍କର ସ୍ବେଚ୍ଛାକୃତ ଅବସର ଅନେକଙ୍କୁ ଆଶ୍ଚର୍ୟ୍ୟ କରିଥିଲା। କିନ୍ତୁ ଏବେ ସେ ଉତ୍ତରପ୍ରଦେଶରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି। ଗୁଜୁରାଟ କ୍ୟାଡରର ୧୯୮୮ବ୍ୟାଚ ଆଇଏଏସ ଅଧିକାରୀ ଅରବିନ୍ଦ କୁମାର ଶର୍ମାଙ୍କ ଜନ୍ମ ଉତ୍ତରପ୍ରଦେଶର ମାଉରେ । ଶ୍ରୀ ଶର୍ମା କେବଳ ଦିଲ୍ଲୀରେ ନୁହେଁ ବରଂ ୨୦୧୪ପୂର୍ବରୁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କାମ କରିଥିଲେ। ୨୦୦୧ରେ ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ କାର୍ୟ୍ୟ ଆରମ୍ଭ କରିବା ସମୟରେ ସେ ସଚିବ ଭାବରେ ଯୋଗ ଦେଇଥିଲେ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0