spot_img

ଆଜି କରାଯିବ ମହାନଦୀ ଜଳବିବାଦ ମାମଲାର ଶୁଣାଣି

ମହାନଦୀ ଜଳବିବାଦ ମାମଲାର ଶୁଣାଣି ଆଜି ଟ୍ରିବ୍ୟୁନାଲରେ କରାଯିବ । ଟ୍ରିବ୍ୟୁନାଲ କମନ୍ ଇନ୍ଫରମେସନ ଫର୍ମାଟକୁ ଚୂଡ଼ାନ୍ତ କରିବା ପରେ ଓଡ଼ିଶା ଓ ଛତିଶଗଡ଼ ମୂଳ ମାମଲାର ଶୁଣାଣି ପାଇଁ ସମୟସୀମା ଧାର୍ୟ୍ୟ ଲାଗି ପୁନର୍ବାର ବୈଠକ କରିବେ ବୋଲି ଜଣାପଡ଼ିଛି । ହୀରାକୁଦ ଜଳଭଣ୍ଡାରକୁ ଅଣମୌସୁମୀ ମାସ ଗୁଡିକରେ ୧.୭୪ ନିୟୁତ ଏକର ଫୁଟ ମହାନଦୀ ଜଳପ୍ରବାହ ସୁନିଶ୍ଚିତ କରିବା ପ୍ରସଙ୍ଗରେ ଆଲୋଚନା ମାଧ୍ୟମରେ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଯିବା ନେଇ ପ୍ରସ୍ତାବ ରହିଛି । ମାତ୍ର, ଏହି ପ୍ରସ୍ତାବ ଉପରେ ଦୁଇ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ ଏପର୍ୟ୍ୟନ୍ତ ଆଲୋଚନା କରିନାହାନ୍ତି । ଦୁଇ ରାଜ୍ୟର ଆଇନଜୀବୀଙ୍କୁ ନେଇ ଅନୌପଚାରିକ ବୈଠକ ହୋଇଛି । ମାତ୍ର, କୌଣସି ଉଚ୍ଚସ୍ତରୀୟ ବୈଠକ ବସିନାହିଁ । ଗତ ଶୁଣାଣି ସମୟରେ ଏକାଠି ବସି ଆଲୋଚନା କରିବା ସକାଶେ ଦୁଇ ରାଜ୍ୟ ଟ୍ରିବ୍ୟୁନାଲଙ୍କ ନିକଟରେ ସମ୍ମତି ଜଣାଇଥିଲେ ବି ତାହା ସମ୍ଭବପର ହୋଇନାହିଁ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅଣମୌସୁମୀ ମାସରେ ୧.୭୪ ନିୟୁତ ଏକର ଫୁଟ୍ ମହାନଦୀ ଜଳପ୍ରବାହକୁ ବଜାୟ ରଖିବା ପାଇଁ ଛତିଶଗଡ଼କୁ ନିର୍ଦ୍ଦେଶ ଦେବା ପାଇଁ ୨୦୧୮ରେ ଓଡ଼ିଶା ପକ୍ଷରୁ ଅନ୍ତରୀଣ ଆବେଦନ କରାଯାଇଥିଲା । ୨୦୧୯ ମସିହାରେ ଟ୍ରିବ୍ୟୁନାଲ ଏହା ଉପରେ ଶୁଣାଣି ସମାପ୍ତ କରି ରାୟ ସଂରକ୍ଷିତ ରଖଛନ୍ତି । ଅପରପକ୍ଷେ ମହାନଦୀ ଅବବାହିକା ସମ୍ପର୍କିତ ସୂଚନା ନେଇ ପ୍ରସ୍ତୁତ ହେବାକୁ ଥିବା କମନ ଇନଫରମେଶନ ଫର୍ମାଟ ସମ୍ପର୍କରେ ଆସେସରଙ୍କ ମତ ଲୋଡ଼ାଯାଇଥିଲା । ଓଡ଼ିଶା ପକ୍ଷରୁ ଏଥିରେ କୌଣସି ଆପତ୍ତି ନଥିବାର ଜଣାଇ ଦିଆଯାଇଛି । ତେବେ, ଛତିଶଗଡ଼ ପକ୍ଷରୁ କୌଣସି ମତାମତ ମିଳିପାରିନାହିଁ । ଏପରିସ୍ଥଳେ ଆଜି ଟ୍ରିବ୍ୟୁନାଲରେ ଶୁଣାଣି ହେବାକୁ ଯାଉଛି । ଶୁଣାଣି ସମୟରେ କମନ୍ ଇନଫରମେସନ ଫର୍ମାଟକୁ ଚୂଡ଼ାନ୍ତ ଅନୁମୋଦନ ପ୍ରଦାନ କରାଯିବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular