spot_img

ଖସୁଛି ପାରଦ, ବଢୁଛି ଥଣ୍ଡା : ଫୁଲବାଣୀରେ ୬ଡିଗ୍ରିକୁ ଖସିଲା ପାରଦ

ଭୁବନେଶ୍ୱର: ବଢୁଛି ଥଣ୍ଡା । ଗତ କିଛି ଦିନ ହେଲା ରାଜ୍ୟରେ ପାରଦ ଊର୍ଧ୍ବମୁଖା ଥିବା ବେଳେ ଏବେ ପୁଣି ଥଣ୍ଡା ବଢ଼ିବା ଆରମ୍ଭ ହୋଇଛି। ପାଖାପାଖି ୧୦ ଦିନ ପରେ ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରିକୁ ଖସି ଆସିଛି । ଖାଲି ଫୁଲବାଣୀ ନୁହେଁ, ଆଉ ୪ ସହରର ତାପମାତ୍ରା ମଧ୍ୟ ୧୦ ଡିଗ୍ରି ତଳେ ରହିଛି। ଗତ ୨୪ ଘଣ୍ଟାରେ ଆଭ୍ୟନ୍ତର ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୩ରୁ ୪ଡିଗ୍ରି ଖସିଥିବା ବେଳେ ଉପକୂଳରେ ୧ ଡିଗ୍ରି କମିଛି। ତେବେ ଏପରି ସ୍ଥିତି ବେଶି ଦିନ ପର୍ୟ୍ୟନ୍ତ ଲାଗି ରହିବ ନାହିଁ। ୧୮ ତାରିଖରୁ ପୁଣି ରାଜ୍ୟକୁ ପୂର୍ବାପବନର ପ୍ରବାହ ବଢ଼ିବ ଓ ତାପମାତ୍ରାରେ ବୃଦ୍ଧି ଦେଖାଯିବ। ଫଳରେ ଥଣ୍ଡା କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । କେନ୍ଦ୍ରର ସୂଚନା ମୁତାବକ, ଗତ ୨୪ ଘଣ୍ଟାରେ ରାଜ୍ୟର ସବୁ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା। କେନ୍ଦୁଝର, ଅନୁଗୁଳ, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାର କିଛି କିଛି ଅଞ୍ଚଳରେ ବି କୁଡୁଡ଼ି ଦେଖିବାକୁ ମିଳିଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ୬ଡିଗ୍ରି ରେକର୍ଡ ହୋଇଛି। ସେହିପରି ଝାରସୁଗୁଡ଼ାରେ ୭.୪ ଡିଗ୍ରି, ଦାରିଙ୍ଗବାଡ଼ି ୮.୫ ଡିଗ୍ରି, ସୁନ୍ଦରଗଡ଼ ୯.୦ ଡିଗ୍ରି ଓ ବଲାଙ୍ଗୀରରେ ୧୦ ଡିଗ୍ରି ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ପର୍ୟ୍ୟନ୍ତ କମ ରହିଛି। ଅନ୍ୟପଟେ ଝାରସୁଗୁଡ଼ାରେ ଶୀତ ଲହରି ପୁଣି ଫେରିଛି। ଏଠାରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୫ ଡିଗ୍ରି ପର୍ୟ୍ୟନ୍ତ କମ ରହିଛି। ବର୍ତ୍ତମାନ ଉପକୂଳ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ କିମ୍ବା ସ୍ବାଭାବିକଠାରୁ ଟିକେ ଅଧିକ ରହିଛି। ଏଠାରେ ସର୍ବନିମ୍ନ ତାପମାତ୍ରା ୧୭ରୁ ୨୦ ମଧ୍ୟରେ ରହିଛି। ଆସନ୍ତା ୫ଦିନ ପର୍ୟ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ। ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରି ପର୍ୟ୍ୟନ୍ତ ଖସିବ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular