ରଣପୁର : ଅନଲାଇନ ଖେଳ ଯୁବପିଢ଼ିଙ୍କୁ ଆକୃଷ୍ଟ କରିଚାଲିଥିବାବେଳେ ଅନେକ ସମୟରେ ଏହି ଖେଳକୁ ନେଇ ବହୁ ଘଟଣା ଦୁର୍ଘଟଣା ଘଟିଚାଲିଛି। ଏଭଳି ଏକ ଘଟଣା ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ଅଧୀନ ପଥରପୁଞ୍ଜି ଗାଁରେ ଘଟିଛି। ଅନଲାଇନ ଖେଳରେ ହାରିଯିବାରୁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ଯୁବକ ହେଲେ, ମନୋରଞ୍ଜନ ଷଡ଼ଙ୍ଗୀ ଓରଫ ତୋଫାନ । ତୋଫାନ ପୁରୀ ତାଳବଣିଆସ୍ଥିତ ଏକ ଆଇଟିଆଇ କଲେଜରେ ପଢ଼ୁଥିଲେ। ତେବେ ଲକଡାଉନ ଯୋଗୁ କଲେଜ ବନ୍ଦ ହେବାରୁ ଦୀର୍ଘ ୧୦ ମାସ ଧରି ନିଜ ଗାଁରେ ରହିଆସୁଥିଲେ। ହେଲେ ଇତିମଧ୍ୟରେ ଅତି ମାରାତ୍ମକ ଫ୍ରି-ଫାୟାର ନାମକ ଏକ ଅନଲାଇନ ଖେଳକୁ ଅଭ୍ୟାସରେ ପରିଣତ କରିଥିଲେ। ଏପରିକି ଏଥିରେ କିଛି ଅର୍ଥ ଉପାର୍ଜନ ହେଉଥିବାରୁ ଏହି ଖେଳକୁ ଦିନକୁ ଦିନ ଆପଣେଇ ନେଇଥିଲେ। କିଛିଦିନ ହେଲା ତୋଫାନ ଖେଳରେ ହାରିଯାଉଥିବାରୁ ଶେଷରେ ନିରାଶ ହୋଇପଡ଼ିଥିଲେ। ତେବେ ସେ ନିକଟତମ ଜଙ୍ଗଲରେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। କିନ୍ତୁ ସେଠାରେ ସେ ଛାତି ଓ ପେଟରେ ମାତ୍ରାଧିକ କଷ୍ଟ ଅନୁଭବ କରିବାରୁ କୌଣସି ମତେ ଘରକୁ ପଳେଇ ଆସିଥିଲେ। ପୁଅର ଏଭଳି ଅବସ୍ଥା ଦେଖି ଘର ଲୋକେ ପ୍ରଥମେ ପ୍ରାଥମିକ ଚିକିତ୍ସା ପାଇଁ ରଣପୁର ହସ୍ପିଟାଲ ଓ ପରେ ଭୁବନେଶ୍ବର ସ୍ଥାନାନ୍ତର କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତୋଫାନଙ୍କର ମୃତ୍ୟୁ ଘଟିଛି। ଏ ନେଇ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0