ଗାଜିଆବାଦ: ଉତ୍ତର ପ୍ରଦେଶ ଗାଜିଆବାଦର ପକ୍ସୋ କୋର୍ଟ ଗୋଟିଏ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ମାତ୍ର ୨୯ ଦିନ ମଧ୍ୟରେ କୋର୍ଟ ମାମଲାର ଶୁଣାଣି କରି ଦୋଷୀକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ମୃତ୍ୟୁ ଦଣ୍ଡ ପାଇଥିବା ବ୍ୟକ୍ତି ଜଣଙ୍କ ଜଣେ ଶିଶୁଙ୍କୁ ଦୁଷ୍କର୍ମ କରିବା ପରେ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ହତ୍ୟା କରିଥିଲା। ୨୦୨୦ ଅକ୍ଟୋବର୧୯ରେ ଜଣେ ଅଢ଼େଇ ବର୍ଷର ଶିଶୁକନ୍ୟାଙ୍କ ମୃତଦେହ ଗାଜିଆବାଦ ସ୍ଥିତ କାଭି ନଗର ରାସ୍ତା କଡ଼ ବୁଦା ମୂଳରୁ ମିଳିଥିଲା। ଶିଶୁ କନ୍ୟାଟିକୁ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଥିବା ଜଣାପଡ଼ିବା ପରେ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହାପରେ କୋର୍ଟରେ ଶୁଣାଣି ଆରମ୍ଭ ହୋଇଥିଲା। ତେବେ କୋର୍ଟ ମାତ୍ର ୨୯ ଦିନ ମଧ୍ୟରେ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି। ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ମହେନ୍ଦ୍ର ଶ୍ରୀବସ୍ତବ ବୁଧବାର ଗିରଫ ଚନ୍ଦନକୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଚନ୍ଦନ ହେଉଛି ମୃତ ଶିଶୁକନ୍ୟାର ବାପାଙ୍କ ଘନିଷ୍ଠ ସହଯୋଗୀ। ଶୁଣାଣି ବେଳେ ପୁଲିସ ୧୦ ଜଣ ସାକ୍ଷୀଙ୍କୁ କୋର୍ଟରେ ହାଜର କରିଥିଲା। କୋର୍ଟ ଏମାନଙ୍କ ବୟାନ ମଧ୍ୟ ରେକର୍ଡ କରିଥିଲେ। ଏହାପରେ ସେ ଚନ୍ଦନକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଅକ୍ଟୋବର ୧୯ରେ ଶିଶୁକନ୍ୟାଟିର ନିଖୋଜ ସମ୍ପର୍କରେ ତାଙ୍କ ବାପା ମା’ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୁଲିସ ଚନ୍ଦନ ପାଣ୍ଡେ ଉପରେ ସନ୍ଦେହ କରି ତାକୁ ହେପାଜତକୁ ନେଇଥିଲା। ତଥାପି ସେ ପୁଲିସର ତଦନ୍ତକୁ ବାଟବଣା କରିବାକୁ ଚେଷ୍ଟା କରିଥିଲା। ତେବେ ନଖୋଜର ଗୋଟିଏ ଦିନ ପରେ କାଭି ନଗର ଶିଳ୍ପାଞ୍ଚଳରେ ଥିବା ଗୋଟିଏ ଡ୍ରେନ ନିକଟରେ ଥିବା ବୁଦା ମୂଳରୁ ଶିଶୁଟିର ମୃତଦେହ ମିଳିଥିଲା।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0