spot_img

ଜନ ଆକ୍ରୋଶ ନା ଉତ୍ତରଦାୟିତ୍ୱ…..

ଭୁବନେଶ୍ୱର : କ୍ଷମତାର୍ପିତ ଜନତା ଉତ୍ତରଦାୟୀ ସରକାର , ଗଣତନ୍ତ୍ରରେ ଜନମତ ହିଁ ଶ୍ରେଷ୍ଠ , ପ୍ରଜାତନ୍ତ୍ରରେ ସାଧାରଣ ଜନତା ହିଁ ମାଲିକ |ଅନେକ ସମୟରେ ନେତା ଜନତା ସୁ ସମ୍ପର୍କ ଓ ଦୁର୍ବ୍ୟବହାର ଭଳି ଘଟଣା ଆପଣମାନେ ଶୁଣିଥିବେ | କିନ୍ତୁ ଯେଉଁ ଜନଗଣ ଙ୍କ ମତ ପାଇ ବଳିୟାନ ହୋଇଛନ୍ତି ଅବା ଚଉକି ଟି ମିଳିଛି ତାହା ସେମାନଙ୍କର ସେବା ପାଇଁ ଉଦ୍ଧିଷ୍ଟ ବୋଲି ସ୍ୱୀକାର କରିବାକୁ ପଡିବ | କ୍ଷମତା ଦେବା ଓ ନେବା ଲୋକ ମଧ୍ୟ ସାଧାରଣ ଜନତା | ଜଣେ ପ୍ରକୃତ ଜନନେତା ସମାଜର ନିମ୍ନ ,ଅବହେଳିତ,ଲାଂଛିତ ଓ ଶୋଷଣ କଷଣ ପ୍ରପୀଡ଼ିତ ସ୍ୱରକୁ ଶୁଣିବା ଓ ତାର ଆଶୁ ସମାଧାନ ଦିଗରେ ପଦକ୍ଷେପ ନେଇ ଜନସାଧାରଣଙ୍କର ଆସ୍ଥା ଭାଜନ ହେବା ମୂଳ ଲକ୍ଷ୍ୟ ହେବ ଦରକାର | ତେବେ ଏସବୁ ଭିତରେ ଗତକାଲି ଏକ ଘଟଣା ମନକୁ ଆନ୍ଦୋଳିତ କରୁଛି | ଘଟଣାଟି ଏମିତି ଗତକାଲି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ନିର୍ବାଚନ ମଣ୍ଡଳୀ ର ବିଧାୟିକା ବାସନ୍ତୀ ହେମ୍ବ୍ରମ ଜନତାଙ୍କ କଠୋର ଜିଦି କୁ ଗ୍ରହଣ କରି ୭ କିମି ବାଟ ପଦାରୋହଣ କରିଛନ୍ତି | ଶିମିଳିପାଳ ଓ ଝାଡ଼ଖଣ୍ଡରୁ କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ରେଞ୍ଜକୁ ପଳାଇ ଆସିଛନ୍ତି ୨୩ଟି ହାତୀ ଆଉ ଜଙ୍ଗଲକୁ ଫେରିବାର ନାଁ ଗନ୍ଧ ଧରୁନାହାନ୍ତି। ହାତୀପଲ କରଞ୍ଜିଆ ଉପଖଣ୍ଡର କୁଁଜିଆ, ବିଉଁରିଆ, ନାକୁଡ଼ା, କାଦମଡ଼କ, ମତା ଆଦି ଗାଁରେ ଭୀଷଣ ଉପଦ୍ରବ ଚଳାଇଛନ୍ତି। ଘରଦ୍ବାର ଭାଙ୍ଗିବା ସହ ଫସଲ ଖାଇଯାଉଛନ୍ତି ଓ ନଷ୍ଟ କରୁଛନ୍ତି। ଏ ସଂକ୍ରାନ୍ତରେ ଗ୍ରାମବାସୀ ଅନେକଥର ସ୍ଥାନୀୟ ବିଧାୟିକା ବାସନ୍ତୀ ହେମ୍ବ୍ରମ୍‌, ପ୍ରଶାସନିକ ଅଧିକାରୀ ଏବଂ ବନ ବିଭାଗ ଅଧିକାରୀଙ୍କୁ ଅବଗତ କରିବା ସହ ପ୍ରତିକାର ଦାବି କରିଛନ୍ତି। ହେଲେ କିଛି ସୁଫଳ ମିଳି ନଥିଲା‌। ଏହିସବୁ ଗ୍ରାମର ଶତାଧିକ ଲୋକ ଆଜି ଦୁଧିଆଣି ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଏହି ସମୟରେ ବିଧାୟିକା ଶ୍ରୀମତୀ ହେମ୍ବ୍ରମ ସେହି ରାସ୍ତା ଦେଇ ଡାକ୍ତରଖାନାକୁ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ |ଉତ୍ୟକ୍ତ ଲୋକମାନେ ତାଙ୍କୁ ଘେରିଯିବା ସହ ହାତୀ ଉପଦ୍ରବର ପ୍ରତିକାର ପାଇଁ କ’ଣ କରିଛନ୍ତି ବୋଲି ପଚାରିଥିଲେ। ଏମିତିକି କାଦମଡ଼କ ଗ୍ରାମବାସୀଙ୍କ ପ୍ରଶ୍ନବାଣରେ ବିଧାୟିକା ବିଚଳିତ ହୋଇ ଯାଇଥିଲେ। ନିଜ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତି ଦେଖାଇବା ପାଇଁ ତାଙ୍କୁ ଗାଁ ପର୍ଯ୍ୟନ୍ତ ଯିବାକୁ ବାଧ୍ୟ କରିଥିଲେ। ଫଳରେ କିଛି ଉପାୟ ନ ପାଇ ବିଧାୟିକା ଗ୍ରାମବାସୀଙ୍କ ସହ ୭ କିଲୋମିଟର ରାସ୍ତା ଚାଲିଚାଲି ଗାଁ ପର୍ଯ୍ୟନ୍ତ ଯାଇଥିଲେ। ବିଧାୟିକାଙ୍କ ସହ ବନ ବିଭାଗର କର୍ମଚାରୀ ମାନେ ମଧ୍ୟ ଯାଇଥିଲେ ।

ଘଟଣାସ୍ଥଳରେ ଅନୁଧ୍ୟାନ କରିବା ପରେ କ୍ଷତିଗ୍ରସ୍ତ ମାନେ କିପରି ସହାୟତା ପାଇ କ୍ଷତି ଭରଣା କରିପାରିବେ ସେ ଦିଗରେ ବନ ବିଭାଗ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି ବୋଲି ଶ୍ରୀମତୀ ହେମ୍ବ୍ରମ ପ୍ରକାଶ କରିଛନ୍ତି | ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା ବାସ୍ତବରେ ବିଧାୟିକା ନିଜର କର୍ତ୍ତବ୍ୟ ପାଳନ କରିଛନ୍ତି ନା ଲୋକଙ୍କ ବାଧ୍ୟବାଧକତା ରେ ସମୁଖୀନ ହୋଇ ଚାଲି ଚାଲି ଯାଇଛନ୍ତି | ଯଦି ନିଜର କର୍ତ୍ତବ୍ୟ ପାଳନ କରି ଏଭଳି କାର୍ଯ୍ୟ କରିଛନ୍ତି ତେବେ ନିଶ୍ଚିତ ଶ୍ରୀମତୀ ହେମ୍ବ୍ରମ ଧନ୍ୟବାଦର ପାତ୍ର ,ଏବଂ ତାଙ୍କ ଠାରୁ ଅନ୍ୟ ରାଜନେତା ଓ ଅଧିକାରୀ ମାନେ ଏହାକୁ ଅନୁକରଣ କରିବା ଦରକାର | କାରଣ ସେବା ଓ ଉତ୍ତରଦାୟୀ ର ଗୁରୁତ୍ଵ ସାମ୍ପ୍ରତିକ ସମୟରେ ଖୁବ କମ ନେତା ହୃଦୟଙ୍ଗମ କରୁଛନ୍ତି ବୋଲି ଦେଖିବାକୁ ମିଳୁଛି | କେବଳ କାଗଜ କଲମରେ ଲାଲ୍ ନଥି ତଳେ ସବୁ ରହିଯାଉଛି | କଥା ଗୋଟିଏ କାମ ଆଉ ଗୋଟିଏ ,ଅନ୍ୟ ଅର୍ଥରେ ଏହାକୁ ଜନ ବିରୋଧୀ ନୀତିର ଜନ ଫଇସଲା ବା ସୁଯୋଗ ଦେଇଥିବା ଜନଗଣ ତାଙ୍କର ଜନନେତାଙ୍କୁ ଚେତାବନୀ ଦେଇଛନ୍ତି ବୋଲି କହି ପାରିବ | ତେବେ ଏ ଅସନ୍ତୋଷ ର ପ୍ରତିଫଳନ କି ରୂପ ନେଉଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ | ଶ୍ରୀମତୀ ବାସନ୍ତୀ ହେମ୍ବ୍ରମଙ୍କର ଏତାଦୃଶ୍ୟ କାର୍ଯ୍ୟ କଳାପ ଜନ ଆକ୍ରୋଶ ପାଇଁ କି ଉତ୍ତରଦାଇତ୍ୱ ସେ ବିଚାର ଆମର ଶୁଦ୍ଧି ପାଠକ ମାନଙ୍କ ଉପରେ ଛାଡିଲୁ …….

LEAVE A REPLY

Please enter your comment!
Please enter your name here

- Advertisment -

Most Popular