ଭୁବନେଶ୍ୱର : ପାଖାପାଖି ଅଢେଇ ବର୍ଷ ୨୦୧୮ ମଧ୍ୟାନ୍ତର ରୁ କ୍ରମାନ୍ୱୟରେ ଅନେକ ପୌର ସଂସ୍ଥା ଗୁଡିକର କାର୍ଯ୍ୟକାଳ ସରିସାରିଲାଣି | କିନ୍ତୁ ନିର୍ବାଚନ କରିବାକୁ କୌଣସି ପଦକ୍ଷେପ ଏଯାଏଁ ନିଆଯାଇ ନାହିଁ | ଏଭଳି ଚିତ୍ର ବୋଧହୁଏ ଦୁଇ ଦଶନ୍ଧି ଭିତରେ ନଥିଲା | ବିଶେଷକରି ବି .ଜ.ଦ ସଂଗଠନ ଭିତରେ ବଢ଼ୁଥିବା ଅନ୍ତକନ୍ଦଳ ଓ ଛକାପଞ୍ଝା ତଥା ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆଗଧାଡ଼ିର ବିଜେଡି ନେତାମାନେ ଅଣଦେଖା ସ୍ଥିତିରେ ରହିଥିବାରୁ ଦଳ ଏବେ ପୌର ନିର୍ବାଚନ କରାଇ କୌଣସି ଚିନ୍ତିତ ହେବାକୁ ଚାହୁଁନଥିବା ସୂଚନା ମିଳିଛି। ଖାସ୍ ଏହି କାରଣ ପାଇଁ ବିଜେଡି ଏବେ ପଂଚାୟତ ନିର୍ବାଚନ ଉପରେ ଅଧିକ ଧ୍ୟାନ ଦେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ରାଜ୍ୟର ପ୍ରାୟ ସମସ୍ତ ୧୧୪ଟି ପୌରସଂସ୍ଥା( ୫ଟି ମହାନଗର,୪୮ଟି ପୌର ପରିଷଦ ଓ ୬୧ଟି ବିଜ୍ଞାପିତ ଅଂଚଳ ପରିଷଦ)ର କାର୍ଯ୍ୟକାଳ ପ୍ରାୟ ଦୁଇରୁ ଅଢ଼େଇବର୍ଷ ହେଲା ଶେଷ ହୋଇସାରିଲାଣି। ଏସବୁ ପୌର ସଂସ୍ଥାଗୁଡ଼ିକ ନିର୍ବାଚିତ ପ୍ରତିନିଧି ବଦଳରେ ସରକାରଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଥିବାରୁ ଏକରକମ ପଙ୍ଗୁ ଅବସ୍ଥାରେ ରହିଛି। ଏହାସତ୍ତ୍ୱେ ରାଜନୀତିକ ଦଳଗୁଡ଼ିକ ଏନେଇ ସ୍ୱର ଉତ୍ତୋଳନ କରିବାକୁ କିମ୍ବା ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ଆଗ୍ରହ ଦେଖାଉନାହାନ୍ତି। ଅନ୍ୟପକ୍ଷରେ କ୍ଷମତାସୀନ ବିଜେଡି ନିଜର ସଂଗଠନ ଭିତରେ ବଢ଼ୁଥିବା ଅସନ୍ତୋଷ ଓ ଅନ୍ତକନ୍ଦଳ ତଥା ସରକାରଙ୍କ ବିରୁଦ୍ଧରେ ରହିଥିବା ଜନଆକ୍ରୋଶକୁ ଦୃଷ୍ଟିରେ ରଖି ପୌର ସଂସ୍ଥାଗୁଡ଼ିକରେ ନିର୍ବାଚନ ନକରି ଗଡେଇ ଚାଲିଛନ୍ତି ରାଜ୍ୟ ସରକାର । ଅତ୍ୟନ୍ତ ପରିତାପର ବିଷୟ ପୌର ନିର୍ବାଚନରେ ୫୦ପ୍ରତିଶତରୁ ଅଧିକ ଆସନ ସଂରକ୍ଷଣ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ୨୦୧୮ ସେପ୍ଟେମ୍ବର ମାସରୁ ପ୍ରତ୍ୟାଖ୍ୟାନ କରିବା ସତ୍ତ୍ୱେ ପୌର ନିର୍ବାଚନ ଆଇନ-୧୯୯୪ରେ ସଂଶୋଧନ ପାଇଁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ପଦକ୍ଷେପ ନେଇନାହାନ୍ତି ।
ସୂଚନାଯୋଗ୍ୟ ଉପରକୁ ସବୁକିଛି ଠିକଠାକ୍ ଦିଶୁଥିଲେ ମଧ୍ୟ ବିଜେଡିରେ ବରିଷ୍ଠ ନେତାମାନଙ୍କୁ ଅଣଦେଖା କରାଯିବାକୁ ନେଇ ତୀବ୍ର ଅସନ୍ତୋଷ ରହିଛି। ଦଳୀୟ ସଂଗଠନକୁ ନେଇ ଏବେ ଅନ୍ତଃକନ୍ଦଳ ଚରମ ସୀମାରେ ପହଞ୍ଚିଛି ।ଗ୍ରାମାଞ୍ଚଳ ରାଜନୀତି କଥା ନ କହିବା ଭଲ ,ପ୍ରତ୍ୟକ ଯୋଜନାର ବିପରୀତ ଦିଗରେ କାମ ହେଉଛି ,ଅନେକ ସ୍ଥାନରେ ମନରେଗା ରେ ମେସିନ କରୁଛି କାମ ,ହାତ ବାନ୍ଧି ବସୁଛନ୍ତି ଶ୍ରମିକ | କେବଳ ଜନସାଧାରଣଙ୍କୁ ମୋ ପୋଖରୀ ,ମୋ ବଗିଚା , ଓ ଆବାସ ର ଲୋଭ ଦେଇ ମତୁଆଲା କରି ରଖୁଛନ୍ତି | ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶୃଙ୍ଖଳିତ ଆଚରଣକୁ ବରଦାସ୍ତ କରୁନଥିବାରୁ କାର୍ଯ୍ୟାନୁଷ୍ଠାନ ଭୟରେ ଦଳୀୟ ନେତାମାନେ ଏବେ ନିରବ ରହିଛନ୍ତି। ଭୁବନେଶ୍ୱର ମହାନଗର ନିଗମରେ ଏବେ ମେୟର ପଦବୀ ଲବିରେ ୪ରୁ ୫ଜଣ ନେତା ରହିଥିବାବେଳେ ଅଗଧାଡ଼ିରେ ଅଛନ୍ତି ବିରଞ୍ଚି ନାରାୟଣ ମହସୂପକାର (ଲିଟୁ) , ଅମରେଶ ଜେନା (ବାଇଁଆ) ଓ ମୀରା ପରିଡା ଇତ୍ୟାଦି | ତୃତୀୟ ମହଲା ପକ୍ଷରୁ ଜଣେ ଛାତ୍ରୀ ନେତ୍ରୀଙ୍କୁ ସହକାରୀ ମେୟର ପଦବୀରେ ଆସୀନ କରିବା ନିମନ୍ତେ ପ୍ରତିଶ୍ରୁତି ଦିଆଯାଇ ସାରିଲାଣି ଶୁଣିବାକୁ ମିଳୁଛି । ଯେଉଁଥିପାଇଁ ଭୁବନେଶ୍ୱରରେ କର୍ପୋରେଟର ଓ ମେୟର ଆଶାୟୀଙ୍କ ମଧ୍ୟରେ ଛକାପଞ୍ଝା ଓ ଗୋଷ୍ଠୀକନ୍ଦଳ ବଢ଼ିବାରେ ଲାଗିଛି। ତା’ଛଡ଼ା ଭୁବନେଶ୍ୱର ସଂସଦୀୟ ଆସନରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜର ନିଆରା ଯୋଜନା ଓ କାର୍ଯ୍ୟକ୍ରମ ଜୋରଦାର କରି ଭୁବନେଶ୍ୱର ମହାନଗର ନିଗମକୁ ନିଜ ଅକ୍ତିଆରକୁ ନେବାକୁ ଗୋଟିଚାଳନା ଆରମ୍ଭ କରିଦେଲେଣି ।

ସେହିପରି କଟକ ବାରବାଟୀରେ କଂଗ୍ରେସ ବିଧାୟକ ଥିବାବେଳେ କଟକ ରାଜନୀତିରୁ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଦୂରେଇ ରଖାଯାଉଥିଲା । ଦଳର ନେତା ଦେବାଶିଷ ସାମନ୍ତରାୟ, ପ୍ରଭାତ ବିଶ୍ୱାଳ, ପ୍ରଭାତ ତ୍ରିପାଠୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ ଜେନା ଓ ଅନୁଭବ ମହାନ୍ତି ପ୍ରମୁଖ ବିବାଦୀୟ ପରିସ୍ଥିତିରେ ଅଛନ୍ତି ।ବର୍ତ୍ତମାନ ପରିସ୍ଥିତିରେ ସେମାନଙ୍କ ଉପରେ ସ୍ଥାନୀୟ ଲୋକେ ଭରସା କରିବା ସ୍ଥିତିରେ ଆଉ ନାହାନ୍ତି। ବ୍ରହ୍ମଗିରିରେ ସଞ୍ଜୟ ଦାସବର୍ମା , ପୁରୀରେ ମହେଶ୍ୱର ମହାନ୍ତି, ଜୟପୁରରେ ରବି ନାରାୟଣ ନନ୍ଦ, ସମ୍ବଲପୁରରେ ଡ଼ . ରାସେଶ୍ୱରୀ ପାଣିଗ୍ରାହୀ, ଭବାନୀପାଟଣାରେ ପୁଷ୍ପେନ୍ଦ୍ର ସିଂହଦେଓ, ରାୟଗଡ଼ାରେ ଲାଲ ବିହାରୀ ହିମିରିକା , ବଲାଙ୍ଗିରରେ ଅନଙ୍ଗ ଉଦୟ ସିଂଦେଓ ପରିବାର ଆଦି ଏବେ ସମ୍ପୂର୍ଣ୍ଣ ଅଣଦେଖା ସ୍ଥିତିରେ ରହିଥିବାବେଳେ ସୁନ୍ଦରଗଡ଼, ରାଜଗାଙ୍ଗପୁର, ରାଇରଙ୍ଗପୁର ଆଦି ଆସନରେ ବିଜେପି ନିଜର ପତିଆରା ଦେଖାଇବାକୁ ଚାହୁଁଛି ।ତେଣୁ ବିଜେଡି ଏବେ ପୌର ନିର୍ବାଚନ ହେଲେ ଦଳକୁ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ଆଶଙ୍କା କରୁଛି ବିଜୁ ଜନତା ଦଳ । ଯେଉଁଥିପାଇଁ ଦଳ ଏବେ ପୌର ବଦଳରେ ପଂଚାୟତ ନିର୍ବାଚନ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରୁଛି ବୋଲି କହି ପାରିବା । ପୌର ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କୁ ଏବେ ସାନି ୱାର୍ଡ ପୁର୍ନଗଠନ ଓ ଆସନ ସଂରକ୍ଷଣ କରିବାକୁ ପଡ଼ିବ। ଏସବୁ ପ୍ରକ୍ରିୟା ଅତିକମରେ ୪ରୁ ୬ମାସ ହୋଇଥିବାବେଳେ ନିର୍ବାଚନ କରାଇବା ନିମନ୍ତେ କମିଶନଙ୍କୁ ମଧ୍ୟ ୨ରୁ ୩ମାସ ସମୟ ଲାଗିବ। ତେଣୁ ୨୦୨୨ ଫେବୃୟାରୀରେ ପଂଚାୟତ ନିର୍ବାଚନର ମାତ୍ର ୨-୩ମାସ ପୂର୍ବରୁ ପୌର ନିର୍ବାଚନ କରି ବିଜେଡି କଦାପି ନିଜ ପାଇଁ ବିପର୍ଯ୍ୟୟ ଡାକିବ ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି ।ସୂଚନା ଅନୁଯାୟୀ ୨୦୧୮ ସେପ୍ଟେମ୍ବର ୩୦ତାରିଖରୁ ବ୍ରହ୍ମପୁର ମହାନଗର ନିଗମ ସମେତ ୬୬ଟି ପୌର ସଂସ୍ଥା , ୨୦୧୮ ଡିସେମ୍ବର ୪ରେ ୨୦ଟି ପୌର ସଂସ୍ଥା, ୨୦୧୮ ଡିସେମ୍ବର ୯ରେ ଅନ୍ୟ ୨ଟି ପୌର ସଂସ୍ଥା, ୨୦୧୯ ଜାନୁୟାରୀ ୧୭ରୁ ଭୁବନେଶ୍ୱର ମହାନଗର ନିଗମ, ୨୦୧୯ ଫେବୃୟାରୀ ୧୩ ଓ ଜୁଲାଇ ୧୧ରୁ ରାଉରକେଲା ଓ ସମ୍ବଲପୁର ମହାନଗର ନିଗମ ସମେତ ବାକି ପୌର ସଂସ୍ଥାର କାର୍ଯ୍ୟକାଳ ଶେଷ ହୋଇଛି। ଏଠାରେ ପ୍ରଶ୍ନ ଉଠୁଛି କାର୍ଯ୍ୟକାଳ ଶେଷ ହେବ ପରେ କଣ ପାଇଁ ଏତେ ଦିନ ହେଲା ପୌର ନିର୍ବାଚନ ନକରି ସରକାର ଝୁଲାଇ ରଖିଛନ୍ତି ? କୌଣସି ଚାପ ଓ ପରାଜୟର ଭୟ ରହୁଛି କି ? ନ ଆଉ କିଛି କୌଶଳ ଆପଣେଇବାକୁ ଚାହୁଁଛନ୍ତି ? ଦୀର୍ଘ ଦୁଇ ଦଶନ୍ଧି କ୍ଷମତାରେ ଥାଇ ଭୟ କାହାକୁ ? ଏଭଳି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଆମର ଶୁଦ୍ଧି ବିଜ୍ଞ ପାଠକ ଓ ପାଠିକା ମାନଙ୍କ ଉପରେ ଛାଡିଲୁ ……



Visitors Today : 3
Total Visitors : 130169
Total Views : 9891615
Visitors Online Now : 0