ଜୟପୁର: କିଛିଦିନ ହେବ ରାଜସ୍ଥାନ ରାଜନୀତିକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି । ଏନେଇ ସୋମବାର ସକାଳେ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ବିଏସପି ବିଧାୟକଙ୍କ କଂଗ୍ରେସରେ ବିଲୟକୁ ନେଇ ଦାଖଲ ଯାଚିକା ହାଇକୋର୍ଟରେ ଖାରଜ ହୋଇ ଯାଇଛି । ରାଜସ୍ଥାନ ହାଇକୋର୍ଟରେ ରାଜ୍ୟପାଳ କଲରାଜ ମିଶ୍ରଙ୍କ ନାମରେ ଜନସ୍ଵାର୍ଥ ମାମଲା ଦାୟର ହୋଇଛି। ଅନ୍ୟପଟେ ସଚିନ ପାଇଲଟ୍ଙ୍କ ଗୋଷ୍ଠୀର ୩ ବିଧାୟକ କଂଗ୍ରେସକୁ ଫେରୁଛନ୍ତି।
ବିଏସପିର ୬ ବିଧାୟକ କଂଗ୍ରେସରେ ବିଲୟକୁ ନେଇ ଦାଖଲ ଯାଚିକା ହାଇକୋର୍ଟରେ ଖାରଜ ହୋଇ ଯାଇଛି। ରାଜସ୍ଥାନ ଉଚ୍ଚ ନ୍ୟାୟାଳୟ ଏହି ଆବେଦନକୁ ଆଧାରହୀନ ଦର୍ଶାଇଛନ୍ତି। ଏହି ମାମଲାରେ ବିଏସପି ମଧ୍ୟ ନିଜେ ପାର୍ଟି ଗଠନ ପାଇଁ ଆବେଦନ ଦାଖଲ କରିଥିଲା। ହେଲେ ହାଇକୋର୍ଟ ତାକୁ ମଧ୍ୟ ଖାରଜ କରିଛନ୍ତି।ରାଜସ୍ଥାନର ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ପଦରୁ ହଟାଇବା ପାଇଁ ସୋମବାର ରାଜସ୍ଥାନ ହାଇକୋର୍ଟରେ ଜନସ୍ଵାର୍ଥ ମାମଲା ଦାୟର ହୋଇଛି। ଏହି ଆବେଦନ ଆଡଭୋକେଟ୍ ଶାନ୍ତନୁ ପାରିକ ଦାଖଲ କରିଥିବା ସୂଚନା ମିଳିଛି । କୁହାଯାଇଛି ରାଜ୍ୟପାଳ ସଚ୍ଚୋଟତାର ସହ ନିଜର ଦାୟିତ୍ଵ ନିର୍ବାହନ କରୁ ନାହାନ୍ତି। ଏହି ଯାଚିକା ଆଡଭୋକେଟ୍ ଶାନ୍ତନୁ ପାରିକ ଦାଖଲ କରିଛନ୍ତି। ଉଲ୍ଲେଖନୀୟ ରାଜସ୍ଥାନରେ ଅଶୋକ ଗେହଲଟଙ୍କ ସରକାର ବିଧାନସଭା ଅଧିବେଶନ ଡକାଇବାକୁ ଚାହୁଁଛନ୍ତି, ମାତ୍ର ରାଜ୍ୟପାଳ ଏହାର ଅନୁମତି ଦେଉ ନାହାନ୍ତି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ରାଜ୍ୟପାଳଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ ଏହା ଦାବି କରାଯାଉଛି ସଚିନ ପାଇଲଟ୍ଙ୍କ ସହଯୋଗୀ ବିଧାୟକଙ୍କ ମଧ୍ୟରୁ ୩ ଜଣ ପୁନର୍ବାର ଅଶୋକ ଗେହଲଟଙ୍କ ଗୋଷ୍ଠୀକୁ ଫେରି ଆସିବେ। ହୋଟେଲ ଫେୟରମାଉଣ୍ଟରେ କଂଗ୍ରେସ ବିଧାୟକଙ୍କୁ ସମ୍ବୋଧିତ କରି କଂଗ୍ରେସ ନେତା ରଣଦୀପ ସୁରଜେଓ୍ଵାଲା କହିଛନ୍ତି ଆଗାମୀ ୪୮ ଘଣ୍ଟାରେ ୩ ବିଧାୟକ ଗେହଲଟଙ୍କ ଗୋଷ୍ଠୀକୁ ଫେରି ଆସିବେ। ମାତ୍ର ଏହା ଉପରେ ଏ ପର୍ୟ୍ୟନ୍ତ କିଛି ସ୍ପଷ୍ଟ କୁହାଯାଇ ନାହିଁ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0