spot_img

ପୋଷ୍ୟ ବିଦ୍ୟାଳୟ , ଗୁଣାତ୍ମକ ଶିକ୍ଷାର ସହାୟକ ହେବ ତ ?

ଭୁବନେଶ୍ୱର (ଚନ୍ଦନ ପଣ୍ଡା) : ଦୁଇ ଦଶନ୍ଧି ର ଯାତ୍ରା ଭିତରେ ଅନେକ ଯୋଜନା ଆସିଛି କିଏ ପାଉଛି କିଏ ପାଉନି | ଏଭଳି ଅନେକ ଯୋଜନା ଭିତରେ “ମୋ ସ୍କୁଲ” ମୁଖ୍ୟମନ୍ତ୍ରୀଙ୍କର ଏକ ଅଭିନବ ଯୋଜନା | ଏକ ନୂତନ ପିଢ଼ିର ସ୍ୱପ୍ନମାନଙ୍କୁ ନେଇ କୃଷକ, କଳାକାର, ଲେଖକ, ଚିନ୍ତକ, ବୈଜ୍ଞାନିକ , ଉଦ୍ଭାବକ, ନେତା, ଅନୁସନ୍ଧାନକାରୀ ଏବଂ ଉଦ୍ୟୋଗୀ ହେବାକୁ ଏକ ସୁସ୍ଥ, ଏବଂ ସୃଜନଶୀଳ ପରିବେଶ ର ଅପୂର୍ବ ମଞ୍ଚ ମୋ ସ୍କୁଲ |ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନଭେମ୍ବର୧୪ ,୨୦୧୭  ରେ ଶିଶୁ ଦିବସରେ ଏହି ଯୋଜନା ଆରମ୍ଭ କରିଥିଲେ। ଉଦ୍ଘାଟନୀ ଉତ୍ସବରେ ଏଭଳି କହିଥିଲେ ଏହା ଏପରି ଏକ ପଦକ୍ଷେପ ଯାହାକି ଓଡ଼ିଶାର ସରକାରୀ ତଥା ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ନବୀକରଣରେ ସହଯୋଗ, ଏବଂ ଯୋଗଦାନ ପାଇଁ ଏକ ବୃହତ୍ତ ମଞ୍ଚ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ଏକ ଦୃଷ୍ଟାନ୍ତ ତଥା ଜୀବନ୍ତ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା ରାଜ୍ୟ ଓ ଏହାର ଲୋକଙ୍କ ପାଇଁ ଉଜ୍ଜ୍ୱଳ ଭବିଷ୍ୟତର ଚାବି ଧରିଛି | ସଫଳ ନାଗରିକ ହେବା ପାଇଁ ଓଡିଶା ନିଜ ବିଦ୍ୟାଳୟର ପିଲାମାନଙ୍କୁ ସୁଦୃଢ କରିବା ଆବଶ୍ୟକ ଯାହାକି ଏକ ପ୍ରଗତିଶୀଳ ଶୈଖିକ ବାତାବରଣ ସୃଷ୍ଟିକରିବାରେ ସହାୟକ ହେବ |ମୋ ସ୍କୁଲ ହେଉଛି ଦେଶରେ ପ୍ରଥମ ପଦକ୍ଷେପ ଯାହା ନାଗରିକ ଓ ସରକାରୀ ସହଭାଗୀତାରେ ଆରମ୍ଭ କରାଯାଇଛି | ସରକାର ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକ୍ଷମ ଏବଂ ଆର୍ଥିକ ସହାୟତା ପ୍ରଦାନ କରୁଥିବାବେଳେ ମୋ ସ୍କୁଲ କାର୍ଯ୍ୟନିର୍ବାହୀ ସଂସ୍ଥା ଏକ ପରିଚାଳନା ପରିଷଦ ଏବଂ ଏକ ପରାମର୍ଶଦାତା ବୋର୍ଡ ଦ୍ୱାରା ସମର୍ଥିତ ଦୈନନ୍ଦିନ କାର୍ଯ୍ୟଗୁଡିକ ପରିଚାଳନା କରିବେ | ଏଭଳି ସରସ ଓ ସୁନ୍ଦର ପଦକ୍ଷେପ ନିଶ୍ଚିତ ସ୍ୱାଗତଯୋଗ୍ୟ | ଅପଣମାନେ ଆଗରୁ ପୋଷ୍ୟ ସନ୍ତାନ ,ମୋଦିଜୀ ଙ୍କ ଆହ୍ୱାନରେ ସାଂସଦଙ୍କ ପୋଷ୍ୟ ଗାଁ ଏଭଳି ଖବର ଶୁଣିଥିବେ ଏବେ ପୁଣି ପୋଷ୍ୟ କୁ ନେଇ ଭାବଗତ ସମ୍ପର୍କ ଯୋଡିବାକୁ ଚାହୁଁଛନ୍ତି ନବୀନ ବାବୁ | ଅର୍ଥାତ ସମସ୍ତ ନେତା ,ମନ୍ତ୍ରୀ ,ବିଧାୟକ ଓ ପ୍ରଶାସନିକ ଅଧିକାରୀ ମାନେ ସର୍ବନିମ୍ନ ଗୋଟିଏ ଓ ସର୍ବାଧିକ ତିନି ଟି ବିଦ୍ୟାଳୟ କୁ ପୋଷ୍ୟ ଭାବେ ଗ୍ରହଣ କରି ତାହାର ଆମୂଳ ଚୁଳ ଉନ୍ନତି ଦିଗରେ କାମ କରିବେ | ୨୦୧୭ ରୁ ଏଯାଏ କଚ୍ଛପ ଗତିରେ ଚାଲିଥିବା ମୋ ସ୍କୁଲ ଭିତରେ ଏବେ ” ପୋଷ୍ୟ ” ଶବ୍ଦ ଟିଏ ଯୋଡ଼ା ହୋଇଛି | ଗତ ୩୦ ତାରିଖ ରେ ସମସ୍ତ ମୁଦ୍ରିତ ଖବର କାଗଜରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅନୁମୋଦନ ସହ “ନିବେଦନ” ନାମରେ ଏକ ପୃଷ୍ଠିକିଆ ବିଜ୍ଞାପନ ଦେଖିବାକୁ ମିଳିଥିଲା | ସେଥିରେ ଆମ ଶ୍ରେଷ୍ଠ ଓ ଆଦର୍ଶ ମୁଖ୍ୟମନ୍ତ୍ରୀ ଯାହା କହିବାକୁ ଚାହିଁଛନ୍ତି ତାହାକୁ ତଳକୁ ସଂଲଗ୍ନ କରୁଛୁ …ପ୍ରଥମ ଓ ଦ୍ୱିତୀୟ ପାରାରେ ଯେଉଁ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି ତାହା ଏଭଳି ସଫଳତା ପଛରେ ବିଦ୍ୟାଳୟର ଅବଦାନ , ଶିକ୍ଷା ବିକାଶର ଆଧାର ଏବଂ ଶିକ୍ଷା, ସଂସ୍କୃତି ,ସଭ୍ୟତା ଓ ସଂସ୍କାର ସୁସ୍ଥ ପରିବେଶ ପାଇଁ ଅନୁକୂଳ | ଏକଦମ ଏହାକୁ ସ୍ୱୀକାର କରିବାକୁ ପଡିବ |ସାଢେ ଚାରି କୋଟି ଓଡ଼ିଆ ଙ୍କ ପ୍ରତିନିଧି ହିସାବରେ ଏ ବାର୍ତ୍ତାକୁ ନିନ୍ଦୁକ ମାନେ ମଧ୍ୟ ମଧୁର କହିବେ | କିନ୍ତୁ ବାସ୍ତବ ଓ ଅସଲ କଥା ହେଲା ଶାସନର ଦୁଇ ଦଶନ୍ଧି ପରେ ଏଭଳି ଭାବନାତ୍ମକ ବିଚାରଧାରା କିଭଳି ମନକୁ ଆସିଲା ? ଆମ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଗୁଡିକର ଅବସ୍ଥା ଓ ଫଳାଫଳ କିଭଳି ? ଛତୁ ଫୁଟିଲାଭଳି ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଗୁଡିକୁ ଅହେତୁକ ଅନୁକମ୍ପା ଓ ଅନୁମତି ଦେଉଛନ୍ତି ,ଏଣେ ସୁମଧୁର ବାର୍ତ୍ତା ଦେଇ ଭାବ ବିହ୍ୱଳ କରୁଛନ୍ତି | ଏଠାରେ କହି ରଖୁଛୁ ଆମେ ଇଂରାଜୀ ମାଧ୍ୟମ ଓ ଇଂରାଜୀ ଭାଷାର ଆଦୌ ବିରୋଧୀ ନୁହେଁ କାରଣ ଆମେ ବୁଝିଛୁ ଓଡ଼ିଆ ମା ହେଲେ ଇଂରାଜୀ ମାଉସୀ | କିନ୍ତୁ ଅନେକଙ୍କ ମନରେ ପ୍ରଶ୍ନ ଆସୁଥିବ ଆଉ ଆସିବା ବି ସ୍ୱାଭାବିକ ବାସ୍ତବ କ୍ଷେତ୍ରରେ ସବୁ ଯୋଜନା ତୃଣମୂଳରେ ଯେଭଳି ଆଣ୍ଠଉଛି ଏହା ସେଭଳି ହେବ ନା ମୋ ବିଦ୍ୟାଳୟର ରୂପ ରେଖ ବଦଳି ଉତ୍ତର ପିଢ଼ି ପାଇଁ ଆଦର୍ଶ ହୋଇ ଦଣ୍ଡାୟମାନ ହେବ |କାରଣ ମୋ ସ୍କୁଲ ଯୋଜନା ଆରମ୍ଭ ହେବା ସମୟରେ ସେଥିରେ ଏକ ବାର୍ତ୍ତା ସ୍ଥାନିତ ହୋଇଥିଲା “ଶିଖାଇ ଥିଲ ଅ ,ଏବେ ଡାକୁଛି ଆ” ୪ ବର୍ଷ ଭିତରେ ଶିକ୍ଷା ବ୍ୟବସ୍ତା ସୁଦୃଢ ହୋଇଛି ନ ବିଗିଡି ଛି ସେ ବିଷୟରେ ଏକ ତଥ୍ୟ ଉପସ୍ଥାପନ କରୁଛୁ | ଆମ ରାଜ୍ୟର କୌଣସି ଉଚ୍ଚ ପଦସ୍ଥ କର୍ମଚାରୀ , ପ୍ରଶାସନିକ ଅଧିକାରୀ ଓ ତାଙ୍କର ଗୃହ କାମ କରୁଥିବା ବ୍ୟକ୍ତି ବିଶେଷ ,ନେତା ,ମନ୍ତ୍ରୀ ,ବିଧାୟକ ,ସାଂସଦଙ୍କର ପିଲାମାନେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ପଢ଼ନ୍ତି ନାହିଁ | ସର୍ବାଧିକ ପଢ଼ନ୍ତି ଡ଼ .ବିଜୟ ସାହୁଙ୍କ ମାଲିକାନାରେ ଥିବା “ସାଇ ଇଣ୍ଟରନ୍ୟାସନାଲ”ରେ ବାକି ଅଳ୍ପ କିଛି ଡ଼ .ଅଚ୍ୟୁତାନନ୍ଦ ସାମନ୍ତ ଙ୍କ “କିଟ୍” ରେ |ଏବେ ରାଜ୍ୟର ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଭିତ୍ତିଭୂମି କୁ ଆସିବା ସରକାରୀ ତଥ୍ୟ ଅନୁଯାଇ ରାଜ୍ୟରେ ୨୦ ହଜାର ଅଧିକ ପଦବୀ ଶିକ୍ଷକ ଓ ଶିକ୍ଷିକା ପଦବୀ ଖାଲି ପଡିଛି |                ସରକାର ୨୭୪୦ ତାଲିମ୍ ପ୍ରାପ୍ତ ସ୍ନାତକ ଶିକ୍ଷକ ପଦ ସ୍ଥଗିତ ସହ ଝୁଲାଇ ରଖିଛନ୍ତି | ସରକାରୀ ଉଚ୍ଚ ବିଦ୍ୟାଳୟରେ ୪୪୪୫ ହିନ୍ଦୀ ,ସଂସ୍କୃତ ଓ କ୍ରୀଡା ଶିକ୍ଷକ ପଦବୀ ଖାଲି | ଅବଶ୍ୟ ଏଇ ନିକଟରେ ଗଣଶିକ୍ଷା ବିଭାଗ ଚିଠି କରିଛି ଆଗାମୀ ଜୁନ ସୁଦ୍ଧା ହିନ୍ଦୀ ,ସଂସ୍କୃତ ଓ କ୍ରୀଡା ପଦ ପୂରଣ କରିବେ | ୭୧୩୭ ତାଲିମ୍ ପ୍ରାପ୍ତ ସ୍ନାତକ ଶିକ୍ଷକ ପଦ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ଖାଲି ପଡିଛି |ରାଜ୍ୟରେ ଆଦୌ ଶ୍ରେଣୀଗୃହ ନଥିବା ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା ୯୦ | ଅର୍ଥାତ ଛାତ୍ରଛାତ୍ରୀ ମାନେ ବରଗଛ ମୂଳେ ନିଜସ୍ୱ ଘର ଖରା ,ବର୍ଷା ,ଶୀତ ଓ କାକରରେ ବସି ପାଠ ପଢ଼ନ୍ତି |ନିଜସ୍ୱ ଘର ନଥିବା ବିଦ୍ୟାଳୟ ସଂଖ୍ୟା ୧୧୫ | ଏବଂ ୩୩ ପ୍ରତିଶତ ବିଦ୍ୟାଳୟରେ ବିଜୁଳି ଦିବା ସ୍ବପ୍ନ | ଯାହା ମୌଳିକ କର୍ତ୍ତବ୍ୟ ସେଗୁଡିକ ନାହିଁ | କିନ୍ତୁ ଚାଉଳ , ଛତା ,ଜୋତା ଏବଂ ଜନ୍ମ ରୁ ଜନନୀ ଠାରୁ ମୃତୁ ରେ ହରିଶ୍ଚନ୍ଦ୍ର ଦେଇ ଚାଲିଛନ୍ତି | ଶିକ୍ଷା ସ୍ୱାସ୍ଥ୍ୟ ଓ ପାନୀୟଜଳ ଭଳି ମୌଳିକ ଆବଶ୍ୟକତା ନମେଣ୍ଟାଇ ପୁଣି ବିଦ୍ୟଳୟକୁ ବିଶ୍ୱସ୍ତରୀୟ କରିବାର ସ୍ବପ୍ନ ଦେଖାଉଛନ୍ତି |ନିକଟରେ ପ୍ରକାଶ ପାଇଥିବା ଅର୍ଥନୈତିକ ଆକଳନ ତଥ୍ୟ ହିସାବରେ ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇବାରେ ଓଡିଶା ପଛରେ ରହିଛି |ସିଏଜି ତଥ୍ୟନୁଯାୟୀ ପାଞ୍ଚ ବର୍ଷ ତଳେ ଓଡ଼ିଶାର ଶିକ୍ଷା ବ୍ୟବସ୍ତା ଓ ଏବେ କିଭଳି ତାହା ଦେଖିଲେ ଜାଣି ପାରିବେ | ସୁସ୍ମିତା ବାଗଚି ମୋ ସ୍କୁଲ ର ଅଧ୍ୟକ୍ଷା ଅଛନ୍ତି |୨୦୧୭ ରୁ ୨୦୨୧ ଭିତରେ ବିଦ୍ୟାଳୟ କଣ ପରିବର୍ତ୍ତନ ହୋଇଛି ଆପଣମାନେ କହିବେ ଆମର କହିବାର ଆଵଶ୍ୟକତା ନାହିଁ | ପୋଷ୍ୟ ଭାବେ ଗ୍ରହଣ କଲେ କି ପ୍ରକାର ପରିବର୍ତ୍ତନ ହେବ ସମୟ କହିବ | ଶେଷରେ ଏତିକି କହିବୁ ଯଦି ବିଦ୍ୟାଳୟ ଓ ଶିକ୍ଷାରେ ଢାଞ୍ଚାଗତ ପରିବର୍ତ୍ତନ ଚାହୁଁଛନ୍ତି ତେବେ ଉତ୍ତମ ଦକ୍ଷ ଶିକ୍ଷକ ନିଯୁକ୍ତି ସହ ସମାନ କାମକୁ ସମାନ ଦରମା ଦିଅନ୍ତୁ | ସରକାରୀ କର୍ମଚାରୀ ମାନଙ୍କ ର ପିଲାମାନେ ସରକାରୀ ବିଦ୍ୟାଳୟରେ ପଢିବା ବାଧ୍ୟତାମୂଳକ କରାଯାଉ |ଯାହାଫଳରେ ଉତ୍ତରଦାଇତ୍ୱ ରହିବା ସହ ଭାବନାତ୍ମକ ସମ୍ବନ୍ଧ ଯୋଡ଼ିହେବ | ପ୍ରଶାସନିକ ଅଧିକାରୀଙ୍କ ଠାରୁ ଅଧସ୍ଥନ କର୍ମଚାରୀ ମାନଙ୍କର ପିଲାମାନେ ସରକାରୀ ସ୍କୁଲରେ ପଢିଲେ ବାସ୍ତବରେ ମୋ ସ୍କୁଲ ଉଚ୍ଚାକାଂକ୍ଷା ପୂରଣ ହୋଇ ପାରିବ | “ନହେଲେ ଶିଖାଇ ଥିଲା ଅ , ଖାଲି ଇଂରାଜୀ ସ୍କୁଲ ଯାଅ, ଓଡ଼ିଆ ସ୍କୁଲ ନୁହଁ ” ହୋଇ ଯିବା ସାରା ହେବ | ତେବେ ପୋଷ୍ୟ ବିଦ୍ୟାଳୟ ଗୁଣାତ୍ମକ ଓ ନୈତିକ ଶିକ୍ଷାର ଭଣ୍ଡାର ହେବକି ନାହିଁ ତାହା ଆମର ଶୁଦ୍ଧି ପାଠକ / ପାଠିକା ମାନେ ନିର୍ଦ୍ଧାରଣ କରିବେ ….|

LEAVE A REPLY

Please enter your comment!
Please enter your name here

- Advertisment -

Most Popular