ନୂଆଦିଲ୍ଲୀ: କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀଙ୍କ କାରକେଡରେ ଘଟିଛି ଦୁର୍ଘଟଣା। ତାଙ୍କ କାରକେଡର ୪ଟି ଗାଡ଼ି ପରସ୍ପର ସହିତ ପିଟି ହୋଇଥିଲେ। ଏଥିରେ ଗାଡ଼ି ଗୁଡ଼ିକ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ କେହି ଆହତ ହୋଇ ନାହାନ୍ତି। ଜାନୁଆରୀ ୨୬ରେ ଦିଲ୍ଲୀରେ ଟ୍ରାକ୍ଟର ରାଲି ବେଳେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାର ଲୋକଙ୍କୁ ଭେଟିବାକୁ ପ୍ରିୟଙ୍କା ରାମପୁର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ହାପୁଡ଼ ରୋଡ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। କାରକେଡରେ ଥିବା ଗାଡ଼ି ଗୁଡ଼ିକ ମଧ୍ୟରୁ ଗୋଟିଏର ଡ୍ରାଇଭର ହଠାତ ବ୍ରେକ ମାରି ଦେଇଥିଲେ। ଫଳରେ ତା’ପଛରେ ଆସୁଥିବା ତିନୋଟି ଗାଡ଼ି ପଛକୁ ପଛ ପିଟି ହୋଇଯାଇଥିଲେ। ଉତ୍ତର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଜୟ କୁମାର ଲଲ୍ଲୁ କହିଛନ୍ତି, ନବରୀତ ସିଂହ କାନାଡାରୁ ଆସି ଚାଷୀଙ୍କ ଆନ୍ଦୋଳନରେ ସାମିଲ ହୋଇଥିଲେ। ଟ୍ରାକ୍ଟର ରାଲି ବେଳେ ପୁଲିସ ଗୁଳିରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ପରିବାର ଲୋକଙ୍କୁ ଆଜି ପ୍ରିୟଙ୍କା ଗାନ୍ଧୀ ଭେଟିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଅନ୍ୟପକ୍ଷରେ ପୁଲିସ କହିଛି, ଟ୍ରାକ୍ଟର ଓଲଟି ପଡ଼ିବା ଯୋଗୁ ନବରୀତ ତା’ ତଳେ ଚାପି ହୋଇ ଯାଇଥିଲେ ଓ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଏହାର ସିସିଟିଭି ଫୁଟେଜ ମଧ୍ୟ ଜାରି କରିଥିଲା। ଏକ ଟ୍ରାକ୍ଟର ପୁଲିସ ବ୍ୟାରିକେଡ ଭାଙ୍ଗିବାକୁ ଚେଷ୍ଟା କରୁଥିବା ବେଳେ ଓଲଟି ପଡ଼ିଥିବା ଏଥିରେ ଦେଖିବାକୁ ମିଳିଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0