ମାଲକାନଗିରି: ଜୁଆ ଖେଳ ବେଳେ ଚଢ଼ାଉ କଲା ପୁଲିସ। ୨ ଜୁଆଡ଼ିଙ୍କ ସହ ଗଞ୍ଜା ୨ଟିକୁ ବି ବାନ୍ଧି ନେଇ ଜେଲରେ ପଶାଇଲେ। ଜୁଆଡ଼ି ୨ ଜଣ ଜାମିନରେ ପଳାଇ ଆସିଥିବା ବେଳେ ଗଞ୍ଜା ୨ଟିକୁ କିନ୍ତୁ ଜାମିନରେ ନେବାକୁ କେହି ଆଗଭର ନୁହନ୍ତି। ତେଣୁ ପ୍ରାୟ ମାସେରୁ ଊର୍ଦ୍ଧ୍ୱ ସମୟ ଧରି ଗଞ୍ଜା ୨ଟି ଜେଲରେ ସଜା କାଟୁଥିବା ବେଳେ ଉଭୟଙ୍କୁ ନିଲାମ କରାଯିବ ବୋଲି କହିଛି ପୁଲିସ। ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସୀମାକୁ ଲାଗିଥିବା ତେଲାଙ୍ଗାନା ରାଜ୍ୟ ଖମାମ ଜିଲ୍ଲାର ବାନାପୁରମରେ। ଗତମାସରେ ପୋଙ୍ଗଲ ପୂର୍ବରୁ ଜାନୁଆରୀ ୧୦ରେ ତେଲେଙ୍ଗାନାର ବିଭିନ୍ନ ଅଞ୍ଚଳରେ ଜୁଆଖେଳ ହେଉଥିଲା । ସମ୍ପୃକ୍ତ ଗଞ୍ଜା ଦୁଇଟିକୁ ସେଠାରେ ବାଜି ଲଗାଯାଇଥିଲା । ଯେଉଁ ଗଞ୍ଜା ଜିତିବ ସେ ମାଲିକ ବାଜିରେ ଲାଗିଥିବା ସବୁ ଟଙ୍କା ନେବ ବୋଲି ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା । ଏମିତି ଏକ ଜୁଆ ଖେଳ ଚାଲିଥିବା ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିଲା ।ଏହାପରେ ୨ ଜୁଆଡ଼ିଙ୍କ ସହ ୨ ଗଞ୍ଜାକୁ ନେଇ ପୁଲିସ ଜେଲ୍କୁ ପଠାଇ ଦେଇଥିଲା । ଜୁଆଡ଼ି ଦୁହେଁ ଜାମିନରେ ମୁକୁଳିଗଲେ, ହେଲେ ଗଞ୍ଜା ୨ଟାକୁ କେହି ଜାମିନରେ ନେବାକୁ ଆସିଲେନି । ତା ପରଠାରୁ ୨ଟି ଯାକ ଗଞ୍ଜା ଜେଲ ହାଜତରେ ରହିଛନ୍ତି । ଏବେ ପୁଲିସ୍ କହୁଛି, କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଗଞ୍ଜା ୨ଟିକୁ ନିଲାମ କରାଯିବ।



Visitors Today : 1
Total Visitors : 130211
Total Views : 9891679
Visitors Online Now : 0