ନୂଆଦିଲ୍ଲୀ: ସୋଶାଲ ମିଡିଆ ପ୍ଲାଟଫର୍ମରେ ଫେକ ନ୍ୟୁଜ କିମ୍ବା ହିଂସା ସୃଷ୍ଟି କରିବା ଭଳି ପୋଷ୍ଟ ଶେୟାର କଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭାରତୀୟ ଆଇନକୁ ଯିଏ ବି ଉଲ୍ଲଙ୍ଘନ କରିବ, ସେମାନଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି କେନ୍ଦ୍ର ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ସତର୍କ କରାଇଛନ୍ତି। ଆଜି ରାଜ୍ୟସଭାରେ ଶ୍ରୀ ପ୍ରସାଦ କହିଛନ୍ତି, ବାକ ସ୍ୱାଧୀନତା ରହିଛି। କିନ୍ତୁ ସମ୍ବିଧାନର ଧାରା ୧୯ ଏରେ କିଛି କ୍ଷେତ୍ରରେ କଟକଣା ମଧ୍ୟ ଲାଗୁ କରାଯାଇଛି। ସେହିପରି ଭାରତରେ ବ୍ୟବସାୟ କରୁଥିବା ଟ୍ୱିଟର ଓ ଫେସବୁକ ମଧ୍ୟ ଦେଶର ଆଇନ ମଧ୍ୟରେ ବନ୍ଧା। ଏହା ବିରୋଧରେ କେହି ବି କାର୍ୟ୍ୟ କରିପାରିବେ ନାହିଁ। ଆମେ ସୋଶିଆଲ ମିଡିଆକୁ ସମ୍ମାନ ଜଣାଉଛୁ। ଏହା ସାଧାରଣ ଲୋକଙ୍କୁ ସଶକ୍ତ କରିଛି। ଡିଜିଟାଲ ଭାରତ କାର୍ୟ୍ୟକ୍ରମରେ ସୋଶିଆଲ ମିଡିଆର ଭୂମିକା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ସୋଶାଲ ମିଡିଆରେ ଫେକ ନ୍ୟୁଜ ଭାଇରାଲ କରିବା ଓ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରିବା, ଆଦୌ ଗ୍ରହଣ କରାଯିବ ନାହିଁ। ସୋଶିଆଲ ମିଡିଆର ଅପବ୍ୟବହାର ବିରୋଧରେ ଭାରତୀୟ ଆଇନ ଅନୁସାରେ କାର୍ୟ୍ୟାନୁଷ୍ଠାନ ହେବ। ସେ ଟ୍ୱିଟର ହୋଇଥାଉ କିମ୍ବା ଆଉ ଯିଏ ବି। ସମସ୍ତ ସୋଶିଆଲ ମିଡିଆ ପ୍ଲାଟଫର୍ମ ଭାରତୀୟ ସମ୍ବିଧାନକୁ ସମ୍ମାନ ଜଣାଇବାକୁ ବାଧ୍ୟ। ଭାରତୀୟ ସମ୍ବିଧାନ ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବାର ଅଧିକାର ଦେଇଛି। ହେଲେ ଫେକ ନ୍ୟୁଜ ପ୍ରଚାର କରିବାର ଅଧିକାର ସମ୍ବିଧାନ ଦେଇନାହିଁ। ଆମେ ଟ୍ୱିଟର ଓ ଅନ୍ୟ ସୋଶାଲ ମିଡିଆ ନିକଟରେ ସମସ୍ୟା ଗୁଡ଼ିକ ଉଠାଇଛୁ। ଯଦି ସେମାନେ ଦେଶରେ ବ୍ୟବସାୟ କରିବାକୁ ଚାହୁଁଛନ୍ତି, ତା’ହେଲେ ସେମାନଙ୍କୁ ଭାରତୀୟ ଆଇନର ପରିସର ଭୁକ୍ତ ହୋଇ କାର୍ୟ୍ୟ କରିବାକୁ ପଡ଼ିବ। ଭିନ୍ନ ଦେଶ ପାଇଁ ଭିନ୍ନ ପାରାମିଟିର ଲାଗୁ କରାଯାଇ ପାରିବ ନାହିଁ। ଆମେରିକାର କ୍ୟାପିଟଲ ହିଲ୍ ପାଇଁ ଗୋଟିଏ ନିୟମ ହୋଇଥିବା ବେଳେ ଲାଲକିଲ୍ଲା ଘଟଣା ପାଇଁ ଆଉ ଗୋଟିଏ ନିୟମ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0