spot_img

ଯାତ୍ରା କୁ ଯାତନା କେତେଦିନ ,ଅନୁମତିରେ ବାଧକ କିଏ …?

ଭୁବନେଶ୍ୱର(ଚନ୍ଦନ ପଣ୍ଡା): କଳାରେ ଭରପୁର ରାଜ୍ୟ ଓଡିଶା,ଓଡିଆମାନେ କଳାପ୍ରେମୀ | ସଂସ୍କୃତି , ଐତିହ୍ୟ, ରାଜନୀତି, ସାହିତ୍ୟ, କଳା, ସ୍ଥାପତ୍ୟ, ବାସ୍ତୁବିଦ୍ୟା, କ୍ଷେତ୍ରରେ ଓଡିଶାର ସୂର୍ଣ୍ଣମ ଇତିହାସ ରହିଛି| ତନ୍ମଧ୍ୟରୁ ମଧ୍ୟରୁ ଓଡ଼ିଆ ମନୋରଞ୍ଜନ ଜଗତରେ ଯାତ୍ରା ଏକ ପ୍ରମୁଖ ଭୂମିକା ନେଇଛି | କାରଣ ରାତ୍ରି ଅନିଦ୍ର ହୋଇ ମଞ୍ଚରେ ନିଖୁଣ ଅଭିନୟ କେବଳ ଯାତ୍ରାରେ ଦେଖିବାକୁ ମିଳେ | ଯାତ୍ରା ଅନ୍ୟ ମଞ୍ଚ ଠାରୁ ଏଥି ପାଇଁ ଅନନ୍ୟ ଓ ନିଆରା | କାରଣ ଏହାର ସଂଳାପ ସିଧାସଳଖ ଦର୍ଶକ ମାନଙ୍କ ଆଗରେ ପରସିବାକୁ ପଡେ | ଅନ୍ୟ କ୍ଷେତ୍ର ଭଳି ଭୁଲରେ ପାଟିରୁ ଅଲଗା କିଛି ବାହାରି ପଡିଲେ ସଂଶୋଧନ କରିବାର ଅବକାଶ ନଥାଏ | ପାଟିରୁ ଯାହା ଥରେ ବାହାରିବ ଭୁଲ ହେଲେ ଦର୍ଶକ ଶୁଣିବେ ଠିକ ହେଲେ ମଧ୍ୟ ଦର୍ଶକ ଶୁଣିବେ | ଯାତ୍ରାର ଉତ୍ପତ୍ତି ବୈଷ୍ଣବ ଧର୍ମର ଉତ୍ଥାନରୁ ବୋଲି ଜଣା ପଡେ | ଏବଂ୧୬୦୦ ଶତାବ୍ଦୀରେ ରହସ୍ୟମୟ ଚତନ୍ୟ ମହାପ୍ରଭୂଙ୍କ ଆଗମନ ଦ୍ୱାରା ଭକ୍ତ ଆନ୍ଦୋଳନ ବିଶେଷ କରି କୃଷ୍ଣ ଧର୍ମରେ ଦେଖିବାକୁ ମିଳିଥିଲା। କୃଷ୍ଣ ଯାତ୍ରା , କୃଷ୍ଣ ଭକ୍ତ ଆନ୍ଦୋଳନର ଅନୁଗାମୀମାନଙ୍କ ଭକ୍ତି ଗୀତ ଏବଂ ନୃତ୍ୟ ମାଧ୍ୟମରେ ବିକଶିତ ହୋଇଥିଲା ଏବଂ ରାସଲୀଳା ଦ୍ୱାରା ଅନୁପ୍ରାଣିତ ହୋଇଥିଲା | ଐତିହାସିକମାନେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ମଧ୍ୟଯୁଗୀୟ ବଙ୍ଗଳାରେ ଗୀତ, ନୃତ୍ୟ ଏବଂ ସଙ୍ଗୀତ ସଂଳାପରେ ପରିପୂର୍ଣ୍ଣ ଥିଲା, ଯାହା କୃଷ୍ଣ ଜାତ୍ରାର ପ୍ରାରମ୍ଭିକ ସ୍ମୃତି ବହନ କରେ | ଚୈତନ୍ୟଙ୍କ ପରେ, ରାମାନନ୍ଦ ରାୟ ଏବଂ ରୂପା ଗୋସ୍ୱାମୀଙ୍କ ପରି ତାଙ୍କର ଅନୁଗାମୀମାନେ ଶ୍ରୀକୃଷ୍ଣଙ୍କ ଜୀବନୀ ଉପରେ ଆଧାରିତ ନାଟକ ଲେଖିଥିଲେ ଏବଂ ପୁରୀର ରାଜା ପ୍ରତାପରୁଦ୍ର ଦେବଙ୍କ ପରି ଅନେକ ମଧ୍ୟ ରାଜକୀୟ ପୃଷ୍ଠପୋଷକତା ଗ୍ରହଣ କରିଥିଲେ, ଯାହା ଏହି ରୂପକୁ ଆହୁରି ବିକଶିତ କରିବାରେ ସାହାଯ୍ୟ କରିଥିଲା। ଧିରେ ଧିରେ ଏହା ରାମାୟଣ, ମହାଭାରତ, ପୁରାଣ, ବିଭିନ୍ନ ଐତିହାସିକ କାହାଣୀ ଏବଂ ଲୋକନୃତ୍ୟରୁ ନିଆଯାଇଥିବା ରାମ (ରାମ ଯାତ୍ରା), ସୀତା, କୃଷ୍ଣ ଏବଂ ଶିବ (ଶିବ ଯାତ୍ରା) ର କାହାଣୀ ସହିତ ପାରମ୍ପାରିକ ପୁରାଣ ନାଟକଗୁଡ଼ିକର ପ୍ରଦର୍ଶନରେ ପରିଣତ ହେଲା | ଯାତ୍ରା ଧୀରେ ଧୀରେ ସାମାଜିକ ତଥା ରାଜନୈତିକ ସଚେତନତାର ବୃଦ୍ଧିରେ ପ୍ରତିଫଳିତ ହେବାକୁ ଲାଗିଲା ଏବଂ ମହାତ୍ମା ଗାନ୍ଧୀଙ୍କ ଅସ୍ପୃଶ୍ୟତା ବିରୋଧୀ ଆନ୍ଦୋଳନ ଠାରୁ ଆରମ୍ଭ କରି ଅହିଂସା ଆନ୍ଦୋଳନ ପର୍ଯ୍ୟନ୍ତ ବହୁ ସାମାଜିକ ବିଷୟବସ୍ତୁକୁ ଚିତ୍ରଣ କରିଥିଲା | ଅନେକ ଜାତ ଉପନିବେଶବାଦୀ ଚିନ୍ତାଧାରା, ଅତ୍ୟାଚାର କୁ ନାଟକ ମାଧ୍ୟମରେ ବିରୋଧ କରିଥିଲା । ବ୍ରିଟିଶମାନେ ମଧ୍ୟ ନିଷେଧ ହୋଇଥିଲେ। ଏହା ମଧ୍ୟ ସମୟ ଥିଲା, ଯେତେବେଳେ ବଙ୍ଗଳାରେ କମ୍ୟୁନିଷ୍ଟ ମୂଳୋତ୍ପାଟନ କରୁଥିଲା ଏବଂ ଯାତ୍ରା ଲେନିନ୍ ଜୀବନର ନାଟକୀୟତା ଏବଂ କମ୍ୟୁନିଷ୍ଟ ଚିନ୍ତାଧାରାର ଚିତ୍ରଣ କରିଥିଲେ । ପରେ ପରେ କଟକସ୍ଥିତ କ୍ୟାଥୋଲିକ୍ ବିଦ୍ୟାଳୟର ଛାତ୍ରମାନଙ୍କ ଦ୍ୱାରା ୧୮୭୨ ମସିହାରେ ଏକ ଇଂରାଜୀ ନାଟକର ପରିବେଷଣ କରାଯାଇଥିଲା ଯେଉଁଥିରୁ ଓଡିଆ ରଙ୍ଗମଞ୍ଚର ଆବିର୍ଭାବ ହୋଇ ପାରିଥିଲା | ୧୮୭୫ ମସିହାରେ ଜଗ ମୋହନ ଲାଲା, ମାହାଙ୍ଗା ,କଟକ ଙ୍କର ଦ୍ୱାରା ସ୍ଥାୟୀ ମଞ୍ଚ ଗଢା ହେବା ଦ୍ୱାରା ସମଗ୍ର ଓଡିଶାରେ ରଙ୍ଗମଞ୍ଚ (ଥିଏଟର) ଚାଲିବାକୁ ଆରମ୍ଭ ହେଲା । ଦୁଇଟି ପେସାଗତ ରଙ୍ଗମଞ୍ଚ ପ୍ରଥମେ କଟକରେ ଗଢିଉଠିଥିଲା । କାଳୀ ଚରଣ ପଟ୍ଟନାୟକ, ଜଣେ ବିଶିଷ୍ଟ ନାଟ୍ୟକାର ୧୯୪୨ ମସିହାରେ ବାଙ୍କ ବଜାରରେ ଓଡିଶା ରଙ୍ଗମଞ୍ଚର ନେତୃତ୍ୱ ନେଇଥିଲେ । ତା’ପରେ ସୋମନାଥ ଦାସଙ୍କ ମାଲିକାନାରେ ଥିବା ସଙ୍ଗୀତ ନାଟକ ଗୋଷ୍ଠୀ ଦ୍ଵାରା ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ-“ବି”ର ଆବିର୍ଭାବ ହୋଇଥିଲା |ସମୟ ଅନୁସାରେ `୧୯୫୧ ମସିହାରେ କଟକରେ ଅଳ୍ପ ସମୟ ପାଇଁ ରୁପଶ୍ରୀ ରଙ୍ଗମଞ୍ଚ ଆରମ୍ଭ ହୋଇଥିଲା ଏବଂ ପରେ ପରେ ଜନତା ରଙ୍ଗମଞ୍ଚ ଏବଂ କଳାଶ୍ରୀ ରଙ୍ଗମଞ୍ଚ ଆରମ୍ଭ ହୋଇଥିଲା । ଏତେ ସଂଖ୍ୟକ ସ୍ଥାୟୀ ରଙ୍ଗମଞ୍ଚ ଗୋଷ୍ଠୀର ଆବିର୍ଭାବ ସହିତ, ଦୈନିକ ନାଟକ ପରିବେଷଣ ସମ୍ଭବପର ହୋଇ ପାରୁଥିଲା | ଏବେ ଓଡ଼ିଆ ରଙ୍ଗମଞ୍ଚ ଦାବି କରିଆସୁଛି ଯେ ଏହା ସାମୟିକ ଯାତ୍ରାର ପୂର୍ବଜ । ଯାତ୍ରା ହେଉଛି ସମ୍ପୂର୍ଣ୍ଣ ଅଭିନୟ ଏବଂ ସଙ୍ଗୀତ, ନାଚ, ଗୀତ ଏବଂ ନାଟକୀୟ ସଂଘର୍ଷ କୁ ନେଇ ପରିବେଷଣ କରିବା ପରେ ଏହା ବୈଷ୍ଣବ ପାଣି ଓ ବାଳକୃଷ୍ଣ ମହାନ୍ତିଙ୍କ ଦ୍ଵାରା ଲୋକପ୍ରିୟତା ହାସଲ କରିପାରିଥିଲା । ଧୀରେ ଧୀରେ ଯାତ୍ରା ଅପେରାର ରୂପ ନେଇ ଅପେରା ନାମରେ ନାମିତ ହୋଇଛି। ପୁଣି ଯାତ୍ରାର କ୍ରମବିକାଶ ହୋଇ ଗଣନାଟ୍ୟ ,ଲୋକନାଟ୍ୟ ,ଆଉ ଏବେ ବିଭିନ୍ନ ଅତ୍ୟାଧୁନିକ ନାମ ରଙ୍ଗମହଲ ,ସୂର୍ଯ୍ୟ ମନ୍ଦିର ,ବିଶ୍ୱ ଦରବାର , ମଞ୍ଚ ମଞ୍ଜରୀ ପର୍ଯ୍ୟନ୍ତ | ନୂତନ ଆଲୋକ ସଜା ସାଙ୍ଗକୁ ,ଆଧୁନିକ ଫାଟକ ,ସୃତି ମଧୁର ଶବ୍ଦ ସରଞ୍ଜାମ ଯାତ୍ରା ଜଗତକୁ ବ୍ୟୟବହୁଳ କରିଛି | କଳାକାର ମାନଙ୍କର ବେତନ ମଧ୍ୟ ବଢିଛି |ଯାହା ଯାତ୍ରାକୁ ନେଇ ଜଣେ ଭବିଷ୍ୟତ କରିପାରିବ ବୋଲି ସୁସମ୍ବାଦ ଶୁଣିବାକୁ ମିଳୁଛି ବା ବିଭିନ୍ନ ଗଣମାଧ୍ୟମରେ କଳାକାର ମାନେ ମଧ୍ୟ ସ୍ୱୀକାର କରିଛନ୍ତି |ବେଶ ଭଲ ଭାବରେ ଚାଲିଥିଲା ଯାତ୍ରା ଜଗତ କିନ୍ତୁ କରୋନା ର କଲାବାଦଲ ଘୋଟି ଆସିଲା ପରେ ଅନ୍ୟ ସମସ୍ତଙ୍କ ଭଳି ଯାତ୍ରା ଜଗତ ମଧ୍ୟ ପ୍ରଭାବିତ ହେଲା | ଧୀରେ ଧୀରେ ସବୁ ଖୋଲୁଥିବା ବେଳେ କରୋନା ର ଆଁ ଭିତରୁ ମୁକୁଳି ପାରୁନି ଯାତ୍ରା ଜଗତ ! ଅନେକ ବାଦବିବାଦ ଓ ଆନ୍ଦୋଳନ ପରେ ସରକାର ଯାତ୍ରାକୁ ଅନୁମତି ତ ଦେଲେ ହେଲେ କେଁ ରଖିଦେଲେ | ଅର୍ଥାତ ଯାତ୍ରା ହେବେ କି ନାହିଁ ତାହା ସ୍ଥାନୀୟ ପ୍ରଶାସନ ନିଷ୍ପତି ନେବେ | ଏହି କ୍ରମରେ ସରକାରୀ ଚିଠି ଅନୁଯାଇ ସର୍ବାଧିକ ୫୦୦ ଦର୍ଶକଙ୍କୁ ନେଇ ଯାତ୍ରା କରିପାରିବେ ବୋଲି ଅନୁମତି ଥିବାବେଳେ ଏତେ କମ ସଂଖ୍ୟକ ଦର୍ଶକଙ୍କୁ ନେଇ ଯାତ୍ରା କରିବା ସମ୍ଭବପର ହେବନାହିଁ ବୋଲି ଅଧିକାଂଶ ପ୍ରଯୋଜକ ଓ ମାଲିକ ମାନେ ମତ ଦେଇଥିଲେ | ଗତ ମାର୍ଚ୍ଚ ମାସରୁ ଗୋଟେ ପ୍ରକାର ହାତ ବାନ୍ଧି ବସିଥିବା କଳାକାର ,ପ୍ରଯୋଜକ ଓ ନିର୍ଦ୍ଦେଶକ ମାନେ ଆଶା ରଖିଥିଲେ ଯେ ସରକାର ତାଙ୍କ ପ୍ରତି ସଦୟ ଦୃଷ୍ଟି ଦେବେ କିନ୍ତୁ ତାଙ୍କୁ ନିରାଶ ହେବେକୁ ପଡିଛି |ଏହି ଆଳରେ ବହୁ ପ୍ରତୀକ୍ଷିତ ଖଣ୍ଡଗିରି ମେଳାକୁ ଶେଷରେ ବନ୍ଦ କରିବାର ନିୖଷ୍ପତି ପରେ କଳାକାର ଓ କର୍ମଚାରୀମାନଙ୍କ ମହଲରେ ଏକରକମ ନୈରାଶ୍ୟଭାବ ଖେଳି ଯାଇଛି | ଏହାରି ଭିତରେ ସୁଟିଂ ହୋଇଥିବା ନାଟକ କଳାକାର ମାନଙ୍କୁ କିଛି ମାତ୍ରାରେ ରୋଜଗାର ସହ ଆଶ୍ୱସ୍ତ କରିଥିବା ବେଳେ କିଛି ଯାତ୍ରା ଅନୁଷ୍ଠାନ ନିଜ ନିଜର ପୁରୁଣା ନାଟକ ସହ ଚଳିତ ବର୍ଷର ନୂଆ ନାଟକ ଅଖାଡାଶାଳରେ ଅଭ୍ୟସ କରିଲେଣି | ଓଡ଼ିଶାର ହେବ ହେବନି ଟଣା ଓଟରା ଭିତରେ ତୁଳସୀ ଗଣନାଟ୍ୟ ଓ ବାଘାଯତୀନ ଲୋକନାଟ୍ୟ ପଡ଼ୋଶୀ ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରେ ଯାଇ ସମ୍ପୂର୍ଣ ଭରପୁର ଦର୍ଶକରେ ଯାତ୍ରା କରିଲେଣି | ପଶ୍ଚିମବଙ୍ଗ ସରକାର ସବୁ ପ୍ରକାର ଅନୁମତି ଦେଉଥିବା ବେଳେ ଓଡିଶା ସରକାର କରୋନା ଆଳ ଦେଖାଇ ଅଧିକ ଦର୍ଶକକୁ ନେଇ ରୋକ ଲଗାଇଛନ୍ତି |ଅନିଶ୍ଚିତତା ଭିତରେ “ରଙ୍ଗମହଲ” କଳାକାରଙ୍କୁ ପ୍ରୋତ୍ସାହନ ଓ ଯାତ୍ରା ପରମ୍ପରାକୁ ବଜାୟ ରଖିବା ପାଇଁ ଭୁବନେଶ୍ୱର ଉପକଣ୍ଠ ରଙ୍ଗବଜାର ଠାରେ ଯାତ୍ରା ଆରମ୍ଭ କରିଥିବା ବେଳେ ଯାତ୍ରା ମାୟନଗରୀ ଅନୁଗୋଳ ରେ ପାଗ ଭିଡୁଛି | ସେହିପରି ଶିବାନୀ ,ସୂର୍ଯ୍ୟମନ୍ଦିର ଓ ମଂଚ ମଞ୍ଜରୀ ଖୁବ ଶୀଘ୍ର ମୈଦାନକୁ ଆସିବାକୁ ସଜ ହେଉଛନ୍ତି | ଏଠାରେ ପ୍ରଶ୍ନ ଉଠୁଛି ଆଦିବାସୀ ମେଳା ,ତୋଷାଳି ମେଳା ,କଳାହାଣ୍ଡି ,ଭଦ୍ରକ ଓ ପାରଳାଖେମୁଣ୍ଡି ରେ ବିରାଟ ରାଜନୈତିକ ସଭା ରେ ମାଳମାଳ ଲୋକ ସେବେଳକୁ କରୋନା କଟକଣା କେଉଁଠି ଥିଲା ? ସରକାର କଣ ଆଖି ବୁଜି ଦେଇଥିଲେକି ? ହଜାର ହଜାର କଳାକାର ଓ କର୍ମଚାରୀମାନଙ୍କ ପେଟକୁ ନାତ ନୁହେଁ ତ ଆଉ କଣ ?ରାଜିନୈତିକ ସଭାରେ ୫୦୦ ଲୋକ ଯୋଗ ଦେଉଛନ୍ତି ବୋଲି ସରକାର ଓ ତାଙ୍କର ଉଚ୍ଚପଦସ୍ଥ ବଡ଼ବାବୁ ମାନେ ଛାତିରେ ହାତ ରଖି କହିପାରିବେ କି ? ଏ ବେଳକୁ କରୋନା କଟକଣା ନାହିଁ , ଯାତ୍ରା ବେଳକୁ ଏତେ ନିୟମ କାନୁନ କାହିଁକି ?ସରକାର କଳାକାର ମାନଙ୍କପ୍ରତି ତାଙ୍କର ଉଦାରପୂର୍ଣ୍ଣ ହୃଦୟରେ ସହାୟ ହୁଅନ୍ତୁ | ବେଶୀ ନହେଲେ ଅଧା ଦର୍ଶକରେ ଅର୍ଥାତ ୧୫୦୦ ଦର୍ଶକଙ୍କୁ ନେଇ ଯାତ୍ରା କରାଇବା ପାଇଁ ଅନୁମତି ପ୍ରଦାନ କଲେ କଳାକାର ଓ କର୍ମଚାରୀ ମହଲ ଚିରକୃତଜ୍ଞ ସହ ସ୍ୱାଗତ କରନ୍ତେ | ତେବେ ଯାତ୍ରା କୁ ଆଉ ଯାତନା ନଦେଇ ସରକାର ଯଥାଶୀଘ୍ର ପୂର୍ଣ୍ଣ ଅନୁମତି ଦେଇ କଳାକୁ ବଞ୍ଚାଇ ରଖନ୍ତୁ | ଅସମ୍ପୂର୍ଣ୍ଣ ପ୍ରସଙ୍ଗରେ ବାଧକ କିଏ ତାହା ଆମର ପାଠକ ମାନେ ବିଚାର କରିବେ ….

LEAVE A REPLY

Please enter your comment!
Please enter your name here

- Advertisment -

Most Popular