ନୂଆଦିଲ୍ଲୀ: କାର୍ୟ୍ୟ ଦିବସମାନଙ୍କରେ ସବୁ କେନ୍ଦ୍ର ସରକାରୀ କର୍ମଚାରୀମାନେ ଅଫିସ ଆସିବେ ବୋଲି କର୍ମଚାରୀ ମନ୍ତ୍ରାଳୟ ଆଦେଶନାମାରୁ ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କର ସମସ୍ତ ବିଭାଗ ନିମନ୍ତେ ଜାରି ଏହି ଆଦେଶନାମାରେ ଉଲ୍ଲେଖ ଅଛି, ସବୁସ୍ତରୀୟ ସରକାରୀ କର୍ମଚାରୀମାନେ ସମସ୍ତ କାର୍ୟ୍ୟ ଦିବସମାନଙ୍କରେ ଅଫିସକୁ ଆସିବେ। କୌଣସି ବର୍ଗର କର୍ମଚାରୀ ଏହି ନିୟମରୁ ଛାଡ଼ ପାଇବେ ନାହିଁ। କିନ୍ତୁ, ପରବର୍ତ୍ତୀ ଆଦେଶ ପର୍ୟ୍ୟନ୍ତ ବାୟୋମେଟ୍ରିକ ଉପସ୍ଥାନ ବନ୍ଦ ରହିବ। ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଦେଶରେ ସକ୍ରିୟ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିବାରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡ଼ିଛି। କିନ୍ତୁ, କଣ୍ଟେନମେଣ୍ଟ ଜୋନରେ ବାସ କରୁଥବା ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ ହେବନାହିଁ। ସେମାନଙ୍କ ଅଞ୍ଚଳରୁ କଣ୍ଟେନମେଣ୍ଟ ନ ହଟିବା ପର୍ୟ୍ୟନ୍ତ ସେମାନେ ଅଫିସ ଆସିବେ ନାହିଁ। ସେମାନେ ଘରୁ ଥାଇ କାମ କରିବେ ଏବଂ ଯୋଗାଯୋଗ ପାଇଁ ସବୁବେଳେ ଫୋନ୍ ଅନ୍ ରଖିବେ। ସେହିଭଳି, ଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଆରେ ପୂର୍ବଭଳି ବୈଠକ ଚାଲିବ। ସାଧାରଣ ସ୍ୱାର୍ଥ ନିମନ୍ତେ ଅତ୍ୟାବଶ୍ୟକ ନ ହେଲେ ପ୍ରତ୍ୟକ୍ଷ ବୈଠକ ଅନୁଷ୍ଠିତ ହେବନାହିଁ। ଏହାଛଡ଼ା, ସବୁ ବିଭାଗୀୟ କ୍ୟାଣ୍ଟିନ୍ ଖୋଲାଯାଇ ପାରେ ବୋଲି ଅନ୍ୟ ଏକ ଆଦେଶରେ କର୍ମଚାରୀ ମନ୍ତ୍ରାଳୟ କହିଛି। ସେପଟେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ‘ଏସଓପି’ ଜାରି କରି କହିଛି ଯେ, ଯଦି କାର୍ୟ୍ୟ ପରିସରରେ କୋଭିଡ୍-୧୯ ସଂକ୍ରମଣ ଚିହ୍ନଟ ହୁଏ, ତେବେ ଆବଶ୍ୟକ ବିଶୋଧନ କରାଯାଇ ଅଫିସ୍ ଚାଲୁ କରାଯିବ। ସେଥିପାଇଁ ଅଫିସ୍ ବନ୍ଦ କିଂବା ସିଲ କରାଯିବ ନାହିଁ।



Visitors Today : 0
Total Visitors : 130432
Total Views : 9891963
Visitors Online Now : 0