କୋରାପୁଟ : ଓଡିଶା ସୀମାରେ ଦାଦାଗିରି କରି ସବୁ ସୀମା ଲଂଘୁଛି ପଡୋଶୀ ରାଜ୍ୟ । ଓଡିଶା ଗାଁରେ ସ୍କୁଲ କରି ଓଡିଆ ପିଲାଙ୍କୁ ତେଲୁଗୁ ଭାଷାରେ ପାଠପଢାଉଛି ଆନ୍ଧ୍ରପ୍ରଦେଶ । ଆଉ କୋରାପୁଟ କୋଟିଆ ବ୍ଲକର ଫାଟୁସିନେରୀରେ ଖୋଲିଥିବା ଏହି ସ୍କୁଲରେ ପ୍ରଥମରୁ ପଂଚମ ଶ୍ରେଣୀରେ ୧୭ ଜଣ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛି ଆନ୍ଧ୍ର । ନିକଟରେ ପୁଲିସ ଫୋର୍ସ ଉପସ୍ଥିତିରେ ପଂଚାୟତ ନିର୍ବାଚନ କରିଥିବା ଆନ୍ଧ୍ର ଏବେ ସ୍କୁଲ ଖୋଲି ନିଜର ଦାଦାଗିରି ଜାହିର କରିଛି । ଅନ୍ୟପଟେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏଠାରେ ବିଦ୍ୟାଳୟ ନିମନ୍ତେ ଭିତ୍ତିଭୂମି ରହିଥିବା ସତ୍ତ୍ବେ ଅବହେଳା କାରଣରୁ ବନ୍ଦ ହେବା ଅବସ୍ଥାକୁ ଚାଲି ଆସିଛି । କୋଭିଡ ପ୍ରଭାବ କମିବା ପରେ ଆନ୍ଧ୍ର ସରକାର ବିଦ୍ୟାଳୟ ଶିକ୍ଷା ପାଇଁ ଅନୁମତି ଦେଇଛନ୍ତି । ଏହିକ୍ରମରେ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକର ବିଭାଗୀୟ ଫାଟୁସିନେରୀ ଗାଁରେ ଆରମ୍ଭ ହୋଇଛି ଶିକ୍ଷାଦାନ । ଏଠାରେ ଏକ ଚାଳିଆ ଘରେ ଏହି ବିଦ୍ୟାଳୟ ଚାଲିଥିବା ବେଳେ ପ୍ରଥମରୁ ପଞ୍ଚମ ପର୍ୟ୍ୟନ୍ତ ପାଠପଢ଼ା ପାଇଁ ବ୍ୟବସ୍ଥା କରିଛନ୍ତି । ବିଜୟନଗର ଜିଲ୍ଲା ସାଲୁର ମଣ୍ଡଳ ପକ୍ଷରୁ ଏହି ବିଦ୍ୟାଳୟ ଖୋଲିଥିବାବେଳେ କିଛିଦିନ ହେଲା ନିୟମିତ ଭାବେ ଓଡ଼ିଶାର ୧୭ଜଣ ଛାତ୍ରଛାତ୍ରୀ ପାଠ ପଢ଼ିବାକୁ ଯାଉଛନ୍ତି । ପ୍ରଥମ ଶ୍ରେଣୀରେ ୪ଜଣ, ଦ୍ବିତୀୟ ଶ୍ରେଣୀରେ ୮ଜଣ, ତୃତୀୟ ଶ୍ରେଣୀରେ ଜଣେ, ଚତୁର୍ଥ ଶ୍ରେଣୀରେ ୪ଜଣ ଛାତ୍ରଛାତ୍ରୀ ରହିଥିବାବେଳେ ୫ମ ଶ୍ରେଣୀରେ କେହି ଛାତ୍ରଛାତ୍ରୀ ନାହାନ୍ତି । ସଂପୂର୍ଣ୍ଣ ତେଲୁଗୁ ଭାଷାରେ ପିଲାଙ୍କୁ ଶିକ୍ଷାଦାନ ହେଉଥିବା ଦେଖିବାକୁ ମିଳିଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0