ପୁରୀ : ଚଳିତ ବର୍ଷର ତିନି ରଥକୁ ଶ୍ରୀଜଗନ୍ନାଥ ବଲ୍ଲଭ ପରିସରରେ ପ୍ରସ୍ତାବିତ ସଂଗ୍ରହାଳୟରେ ସଂରକ୍ଷିତ ରଖାଯିବ। ଚଳିତ ବର୍ଷର ରଥଯାତ୍ରା ସ୍ମୃତିକୁ ଭବିଷ୍ୟତ ପିଢ଼ିଙ୍କ ପାଇଁ ସଂରକ୍ଷିତ ରଖିବା ଲକ୍ଷ୍ୟରେ ଶ୍ରୀମନ୍ଦିର ପରିଚାଳନା କମିଟି ଏହି ନିଷ୍ପତ୍ତି ନେଇଛି। ଏହି କ୍ରମରେ ଆଜି ଠାରୁ ତିନିରଥ ଭଙ୍ଗାଯିବା ସହ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ରଥ ଖୋଲା ଓ ସ୍ଥାନାନ୍ତର ପ୍ରକ୍ରିୟା ୨୫ ଦିନ ଭିତରେ ଶେଷ ହେବ। ଏଥି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅଗ୍ରିମ ଏକ ଲକ୍ଷ ଟଙ୍କା ମଞ୍ଜୁର କରିଛି।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଆଦେଶ ଅନୁଯାୟୀ, ସିଂହଦ୍ୱାରରେ ଅଟକି ରହିଥିବା ତିନିରଥ ଭଙ୍ଗା କାର୍ୟ୍ୟ ଆରମ୍ଭ ହୋଇଛି। ତିନିରଥର ମୁଖ୍ୟ ମହାରଣା, କମାର ସେବକ ଓ ଭୋଇ ସର୍ଦ୍ଦାର ରବି ଭୋଇଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ଉପରୋକ୍ତ ସେବକମାନେ ଆବଶ୍ୟକ ଲୋକ ଲଗାଇ ରଥଭଙ୍ଗା ସହ ଜଗନ୍ନାଥ ବଲ୍ଲଭକୁ ଏହାକୁ ସ୍ଥାନାନ୍ତର ପ୍ରକ୍ରିୟା ଶେଷ କରିବେ। ଏ ବାବଦରେ ପ୍ରତ୍ୟେକଙ୍କୁ ୨୦୨୦ ବର୍ଷ ପାଇଁ ସ୍ଥିରୀକୃତ ମଜୁରି ଅନୁଯାୟୀ ଗୋଟିଏ ଲେଖାଏଁ ମଜୁରି ପ୍ରଦାନ କରାଯିବ। ତିନି ରଥରୁ ବାହାରିବାକୁ ଥିବା ସମସ୍ତ କାଠ, ପଟା ଆଦି ଯେପରି ସୁରକ୍ଷିତ ଓ ଅକ୍ଷୁର୍ଣ୍ଣ ରହିବ, ସେଥିପ୍ରତି ଧ୍ୟାନ ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଦେଇଛି। ସହକାରୀ ଯନ୍ତ୍ରୀ ଗୋକୁଳାନନ୍ଦ ସାବତଙ୍କୁ କାମ ଅନୁଧ୍ୟାନ ଦାୟିତ୍ୱ ଦିଆଯାଇଛି। ତାଙ୍କ ଉପସ୍ଥିତିରେ ତିନିରଥରୁ ଅକ୍ଷୁର୍ଣ୍ଣ ଓ ସୁରକ୍ଷିତ କାଠ, ପଟା ଆଦି ଖୋଲାଯିବ ଓ ସ୍ଥାନାନ୍ତର ହେବ। ରଥଭଙ୍ଗା ସମୟରେ ଆବଶ୍ୟକ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରାଯିବ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0