ନାଗାଲାଣ୍ଡ : ନାଗାଲାଣ୍ଡ ରାଜ୍ୟ ହେବାର ପ୍ରାୟ ଅଠାବନ ବର୍ଷ ପରେ ପ୍ରଥମ ଥର ଲାଗି ଏହାର ବିଧାନସଭାରେ ଜାତୀୟ ସଂଗୀତ ପରିବେଷଣ କରାଯାଇଛି। ଦଶନ୍ଧି ଦଶନ୍ଧି ଧରି ରାଜ୍ୟରେ ବିଚ୍ଛିନ୍ନତାବାଦୀଙ୍କର ହିଂସାକାଣ୍ଡ ଚାଲୁ ରହିବା ଏବଂ ଶାନ୍ତିପୂର୍ଣ୍ଣ କଥାବାର୍ତ୍ତା ବାଧାପ୍ରାପ୍ତ ହେବା ପରିପ୍ରେକ୍ଷୀରେ ଏପରି ଜାତୀୟ ସଂଗୀତ ଗୁଞ୍ଜରିତ ହେବା ଏକ ଐତିହାସିକ ବିରଳ ଘଟଣା ଭାବେ ଚର୍ଚ୍ଚା ହେଉଛି। ୧୯୬୩ ଡିସେମ୍ବର ୧ରେ ନାଗାଲାଣ୍ଡକୁ ଦେଶର ୧୬ତମ ରାଜ୍ୟର ମାନ୍ୟତା ମିଳିଥିଲା। ତେବେ ଗତ ୧୨ ତାରିଖରେ ରାଜ୍ୟର ବଜେଟ ଅଧିବେଶନ ଆରମ୍ଭ ହେବା ଅବସରରେ ରାଜ୍ୟପାଳ ଆର୍ ଏନ୍ ରବିଙ୍କ ଅଭିଭାଷଣ ପୂର୍ବରୁ ଓ ପରେ ପ୍ରଥମ ଥର ପାଇଁ ଜାତୀୟ ସଂଗୀତ ପରିବେଷିତ ହୋଇଥିଲା। ଯଦିଓ ରାଜ୍ୟ ବିଧାନସଭାରେ ଜାତୀୟ ସଂଗୀତର ପରିବେଷଣ ବାଧ୍ୟତାମୂଳକ ନୁହେଁ, ତେବେ ଅନ୍ୟ ରାଜ୍ୟର ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ପୂର୍ବରୁ ଓ ପରେ ଏପରି ଜାତୀୟ ସଂଗୀତ ଗୁଞ୍ଜରିତ ହେବାର ପରମ୍ପରା ରହି ଆସିଥିବା ବେଳେ ନାଗାଲାଣ୍ଡରେ ସେପରି ହେଉନଥିଲା। ସେହିପରି ତ୍ରିପୁରାରେ ମଧ୍ୟ ବିଜେପି ଶାସନକୁ ଆସିବା ପରେ ପ୍ରଥମ ଥର ପାଇଁ ୨୦୧୮ ମାର୍ଚ୍ଚ ୨୩ରେ ବିଧାନସଭାରେ ଜାତୀୟ ସଂଗୀତ ପରିବେଷିତ ହୋଇଥିଲା।



Visitors Today : 0
Total Visitors : 130432
Total Views : 9891963
Visitors Online Now : 0