ପଶ୍ଚିମବଙ୍ଗ କୋଲକାତାର ରେଳବାଇ ବିଲଡିଂରେ ନିଆଁ ଲାଗି ୯ ମୃତ। ଷ୍ଟ୍ରେଣ୍ଡ ରୋଡ ସ୍ଥିତ ରେଳବାଇର ନୁ୍ୟ କୋଏଲାଘାଟ ବିଲଡିଂର ୧୩ ମହଲାରେ ନିଆଁ ଲାଗିବାରୁ ୯ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ୯ ମୃତକଙ୍କ ମଧ୍ୟରେ ଅଛନ୍ତି ୪ ଜଣ ଅଗ୍ନିଶମ କର୍ମଚାରୀ, ୨ ଆରପିଏଫ ଓ ଜଣେ ଏଏସଆଇ। ସେହିପରି ୨ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଦୀର୍ଘ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁ ଆୟତ୍ତକୁ ଆସିଥିଲା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣା ସମ୍ପର୍କରେ ଖବର ପାଇ ରାତାରାତି ସ୍ଥିତି ଅନୁଧ୍ୟାନ ପାଇଁ ବିଲଡିଂ ନିକଟରେ ପହଞ୍ଚିଥିଲେ। ଏଥିସହ ମୃତକଙ୍କ ପରିବାର ଲୋକଙ୍କ ପାଇଁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଥିଲେ। ଗତକାଲି ସନ୍ଧ୍ୟା ସମୟରେ ରେଳବାଇର ହାଉସ ଅଫିସ ଭାବେ ବ୍ୟବହୃତ ହେଉଥିବା ଏହି ବିଲ୍ଡିଂରେ ନିଆଁ ଲାଗିଥିବା କୋଲକାତା ପୁଲିସ୍ ସୂଚନା ପାଇଥିଲା। ଏହାପରେ ୧୦ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ୯ଜଣଙ୍କର ମୃତ୍ୟୁ ଘଟିଥିବା ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ସୂଚନା ଦେଇଛନ୍ତି। ସେପଟେ ଟ୍ୱିଟ କରି ଶୋକ ଓ ସମବେଦନା ଜ୍ଞାପନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏଥି ସହ ଆହତମାନେ ଶୀଘ୍ର ସୁସ୍ଥ ହୋଇଯିବା ନିମନ୍ତେ ପ୍ରାର୍ଥନା କରିଛନ୍ତି।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0