ବଲାଙ୍ଗିର: ଡ଼ାକ୍ତରଙ୍କ ଅବହେଳା ଯୋଗୁଁ ଜଣେ ପ୍ରସୂତୀ ମହିଳାଙ୍କର ମୃତ୍ୟୁ ହୋଇଛି । ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଏଭଳି ସାଂଘାତିକ ଅଭିଯୋଗ ଆସିଛି। ଡ଼ାକ୍ତର ଓ ନର୍ସ ଭୁଲ ଯୋଗୁଁ ଚିକିତ୍ସାଧୀନ ଅବସ୍ଥାରେ ଜଣେ ପ୍ରସୂତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।
ମୃତ ମହିଳା ଜଣକ ହେଲେ ବଲାଙ୍ଗିର ସହର ମାଲଗୋଦାମପଡ଼ାର ପ୍ରମିଳା ହରପାଲ । ବୁଧବାର ସଂଧ୍ୟାରେ ୨୫ ବର୍ଷୀୟା ପ୍ରମିଳା ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଳା । ସେଠାରେ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ହେଲେ ଜନ୍ମ ଦେବା ପରେ ପରେ ନର୍ସଙ୍କ ଭୁଲ ଯୋଗୁଁ ତାଙ୍କର ଶିର କାଟି ଯାଇଥିଲା । ଫଳରେ ପ୍ରବଳ ରକ୍ତସ୍ରାବ ହୋଇଥିଲା ।
ରାତି ସାରା କଷ୍ଟ ଅନୁଭବ କରିବା ପରେ ଗୁରୁବାର ସକାଳେ ପ୍ରମିଳାଙ୍କର ଡାକ୍ତରଖାନାରେ ହିଁ ମୃତ୍ୟୁ ହୋଇଯାଇଛି । ଖବର ପ୍ରଚାରିତ ହେବା ପରେ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ମୃତ ମହିଳାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ସହ ଅବହେଳା କରିଥିବା ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ପରିବାର ଲୋକ ସ୍ତ୍ରୀ ଓ ପ୍ରସୂତୀ ବିଭାଗ ସମ୍ମୁଖରେ ମୃତଦେହ ରଖି ବିରୋଧ ପ୍ରଦର୍ଶନ କରିଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0