ଭୁବନେଶ୍ୱର : ମନ୍ଦିର ମାଳିନୀ ଭୁବନେଶ୍ୱର ଓ ଓଡ଼ିଶାର ପୁରାତନ ଐତିହ ରୋପ୍ୟ ନଗରୀ କଟକ ଭିତରେ ମେଟ୍ରୋ ରେଳ ଚଳାଇବା ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଥିଲେ | ଏଭଳି କିଛି ବାର୍ତ୍ତା ଶୁଣିବାକୁ ମିଳିଥିଲା ଯେ ଭୁବନେଶ୍ୱର ଓ ପୁରୀ ଭିତରେ ମେଟ୍ରୋ ରେଳ ଚଳାଚଳ କରିବ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ୫ମ ଥର ପାଇଁ ଶାସନ ଭାର ସମ୍ଭାଳିବା ପରେ ୧୬ତମ ବିଧାନସଭାର ପ୍ରଥମ ଅଧିବେଶନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କ ଅଭିଭାଷଣରେ ମଧ୍ୟ ଏହା କହିଥିଲେ । ଦୁଇ ଦଶନ୍ଧିର ଅପରାଜୟ ନାୟକ ନବୀନ ବାବୁ ମଧ୍ୟ ନିର୍ବାଚନ ପୂର୍ବରୁ ନିଜର ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲେ |କିନ୍ତୁ ଏବେ ସବୁ ଆଶା ପାଣି ଫୋଟକା ପରି ମିଳେଇ ଯାଇଛି | କାରଣ ଆଜି ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ଏସଂପର୍କିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଭୁବନେଶ୍ୱର ଓ କଟକରେ ମେଟ୍ରୋ ଟ୍ରେନ୍ ଚାଲିବା ପାଇଁ ରାଜ୍ୟ ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ। ଏଥିପାଇଁ କୌଣସି କମ୍ପାନିକୁ ଅର୍ଥ ଦିଆଯାଇ ନାହିଁ | ଭୁବନେଶ୍ୱର-କଟକରେ ମେଟ୍ରୋ ଟ୍ରେନ ଚାଲିବା ପାଇଁ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏକ ସର୍ଭେ କରାଯାଇଥିଲା । ଯେଉଁଥିରେ କି ୨୦୪୧ ପର୍ଯ୍ୟନ୍ତ ଦୈତନଗରୀରେ ମେଟ୍ରୋ ରେଳ ଗଡ଼ିବା ଅସମ୍ଭବ ବୋଲି ଜଣାପଡିଛି | ପୂର୍ବରୁ ରାଜ୍ୟସଭା ସାଂସଦ ଅଶ୍ୱନୀ ବୈଷ୍ଣବଙ୍କ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀ ହାରଦୀପ ସିଂ ପୁରୀ ଉତ୍ତର ଦେଇ କହିଥିଲେ ମେଟ୍ରୋ ରେଳ ସେବା ନିମନ୍ତେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ନିକଟକୁ କୌଣସି ପ୍ରସ୍ତାବ ଆସିନାହିଁ ।ସହରାଞ୍ଚଳ ପରିବହନ ହେଉଛି ସହର ବିକାଶର ଏକ ଅଭିନ୍ନ ଅଙ୍ଗ ଓ ଏହା ରାଜ୍ୟର ବିଷୟବସ୍ତୁ । ତେଣୁ ମେଟ୍ରୋ ରେଳ ପ୍ରକଳ୍ପ ସମେତ ସହରାଞ୍ଚଳ ପରିବହନ ଭିତ୍ତିଭୂମି ଆରମ୍ଭ, ବିକାଶ ଓ ପାଣ୍ଠି ଯୋଗାଡ଼ ନିମନ୍ତେ ସମ୍ବଦ୍ଧିତ ରାଜ୍ୟ ସରକାର ହିଁ ଉତ୍ତରଦାୟୀ ।
ସେଥିପାଇଁ କୌଣସି ରାଜ୍ୟ ସରକାରଙ୍କ ଦ୍ୱାରା ମେଟ୍ରୋ ରେଳସେବା ପାଇଁ ଅନୁରୋଧ କଲେ କେନ୍ଦ୍ର ସରକାର ପ୍ରଚଳିତ ନୀତି,ପ୍ରସ୍ତାବର ଗ୍ରହଣୀୟତା ଓ ସମ୍ବଳର ଉପଲବ୍ଧତା ଆଧାରରେ ସହର ମଧ୍ୟରେ ମେଟ୍ରୋ ରେଳ ଚଳାଚଳ ପ୍ରସ୍ତାବ ପାଇଁ ଆର୍ଥିକ ସହାୟତା ଉପରେ ବିଚାର କରିଥାନ୍ତି । ସୂଚନାଯୋଗ୍ୟ ,କଟକ-ଭୁବନେଶ୍ୱରର ୩୦ କିମି ମଧ୍ୟରେ ମେଟ୍ରୋ ରେଳ ସେବା ଚଳାଚଳ ନିମନ୍ତେ ବିସ୍ତୃତ ପ୍ରକଳ୍ପ ତଥ୍ୟ ରାଜ୍ୟ ସରକାର ୨୦୧୪ ଅଗଷ୍ଟ ୨୩ତାରିଖରେ ହାଇଦ୍ରାବାଦସ୍ଥିତ ବାଲାଜରୀ ରେଲରୋଡ୍ ସିଷ୍ଟମ ଲିମିଟେଡ଼ ସହ ଏକ ଏମଓୟୁ ସ୍ୱାକ୍ଷର କରିଥିଲେ । ୧୦ମାସ ମଧ୍ୟରେ ଉକ୍ତ ସଂସ୍ଥା ସମ୍ପୂର୍ଣ୍ଣ ପ୍ରକଳ୍ପ ତଥ୍ୟ ପ୍ରସ୍ତୁତ କରିଥାନ୍ତା । ଏଥିପାଇଁ ୨.୫୨କୋଟି ଟଙ୍କା ଦିଆଯିବାର ଥିଲା। ମାତ୍ର ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଏହି ଏମଓୟୁକୁ ଭୁଲିଗଲେ। ଆଉ ୨୦୧୯ ଜୁନ୍ ମାସରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ବିଧାନସଭାରେ ନିଜର ଅଭିଭାଷଣ ରଖିବାବେଳେ ଏହି ମେଟ୍ରୋ ରେଳ ସଂଯୋଗ ପାଇଁ ସରକାର ପଦକ୍ଷେପ ନେଉଥିବା କଥା ଉପସ୍ଥାପନ କରିଥିଲେ ।ଏଠାରେ ପ୍ରଶ୍ନ ଉଠୁଛି ଯଦି ରାଜ୍ୟ ସରକାରଙ୍କ ନିକଟରେ ମେଟ୍ରୋ ରେଳ ଚଳାଚଳ ପାଇଁ କୌଣସି ଦୀର୍ଘ ମିଆଦୀ ରୂପରେଖ ନଥିଲା ତେବେ ଇସ୍ତାହାର ଓ ରାଜ୍ୟପାଳଙ୍କ ଜରିଆରେ ଏହା ଘୋଷଣା କରୁଥିଲେ କାହିଁକି ? ଏହାକୁ ଫମ୍ପା ଆବାଜ କହିବାନିତ ଆଉ କଣ ? ଆଶ୍ଚର୍ଯ୍ୟର ବିଷୟ ଏ ପର୍ଯ୍ୟନ୍ତ ନଗର ଉନ୍ନୟନ ବିଭାଗ କି ପରିବହନ ବିଭାଗ କିଏ ଏ ନେଇ ସର୍ଭେ କରିବ ତାହା ସ୍ଥିର ହୋଇପାରିନି |କେଉଁ ରାସ୍ତା ଦେଇ ଯିବ , କେତେ ଟଙ୍କା ଖର୍ଚ୍ଚ ହେବ, କେତେ ଜମି ଅଧିଗ୍ରହଣ ହେବ, କେଉଁଠି ଷ୍ଟେସନ ରହିବ, ମେଟ୍ରୋ ରେଳ କେତେ କିଲୋମିଟର ଅଞ୍ଚଳରେ ହେବ, କେତେ କିଲୋମିଟର ରାସ୍ତାରେ ସ୍ବତନ୍ତ୍ର ରେଳ ଧାରଣା ବିଛାଯିବ, ସେ ନେଇ ଏପର୍ଯ୍ୟନ୍ତ କିଛି ଆଲୋଚନା ବି ହୋଇନାହିଁ ।ଯାହା ଫଳରେ ଏ ପ୍ରକଳ୍ପ କେବଳ ଧୂଆଁ ବାଣ ଓ ନିର୍ବାଚନ ବୈତରଣୀ ପାରିହେବା ପାଇଁ ଘୋଷଣା ହୋଇଥିଲା ବୋଲି ସର୍ବସାଧାରଣରେ ଚର୍ଚ୍ଚା ହେଉଛି | ଛକ ଛକରେ ଓ ଚା ଖଟିରେ ସବୁଠି ଏହି ଗୋଟିଏ କଥା ଆଲୋଚନା ହେଉଛି , ଏହା ପ୍ରଚାରସର୍ବସ୍ବ ସରକାରଙ୍କର ଦୂରଦୃଷ୍ଟି ଅଭାବ ନୁହେଁ ତ ଆଉ କଣ ?



Visitors Today : 3
Total Visitors : 130166
Total Views : 9891611
Visitors Online Now : 0