ଭୁବନେଶ୍ବର : ୧୩/୬ ଦକ୍ଷିଣ ଓଡ଼ିଶା ପରେ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ସ୍ପର୍ଶ କରିଛି ମୌସୁମୀ । ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି କିଛି ସ୍ଥାନକୁ ଛାଡ଼ିଦେଲେ ଆଜି ସାରା ଓଡ଼ିଶାରେ ମୌସୁମୀ ବର୍ଷା ହୋଇଛି। ସାରା ରାଜ୍ୟରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବାକି ସ୍ଥାନରେ ମୌସୁମୀ ସକ୍ରିୟ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳରେ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୭.୬ କିଲୋମିଟର ଉଚ୍ଚରେ ବିସ୍ତୃତ ହୋଇ ଦକ୍ଷିଣ-ପଶ୍ଚିମ ଦିଗକୁ ରହିଛି। ଏହା ପ୍ରଭାବରେ ମୌସୁମୀ ବାୟୁ ପ୍ରର୍ୟ୍ୟାୟକ୍ରମେ ଓଡ଼ିଶାରେ ସକ୍ରିୟ ହେବାରେ ଲାଗିଛି। ଫଳରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବର୍ଷା ହେବ। ଆସନ୍ତା ୨୪ଘଣ୍ଟା ପର୍ୟ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଇ ଦିଆଯାଇଛି। ଏହା ସହ ପ୍ରଥମ ରଜ ଦିନ ରାଜ୍ୟର ଅଳ୍ପ କିଛି ସ୍ଥାନରେ ବର୍ଷା ହେବ ଓ ବାକି ରଜ ଦୁଇ ଦିନ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।ଏହା ସହ ଆସନ୍ତା ୧୭ ତାରିଖ ଆଡ଼କୁ ସାରା ରାଜ୍ୟରେ ଦ୍ବିତୀୟ ପର୍ୟ୍ୟାୟରେ ମୌସୁମୀ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0